Categories: ଜାତୀୟ

ଭାଙ୍ଗିବନି ଶିନ୍ଦେ-ଫଡ୍‌ନବିସ ସରକାର: ଅଜିତ ପାଓ୍ବାର

ମୁମ୍ବାଇ,୧୬।୫: ମହାରାଷ୍ଟ୍ରର ରାଜନୈତିକ ସଙ୍କଟକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ଶୁଣାଯାଇଥିବା ରାୟ ପରେ ଏବେ ସମସ୍ତଙ୍କ ଅପେକ୍ଷା ମହାରାଷ୍ଟ୍ର ବିଧାନସଭାର ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ। କାରଣ ସେ ହିଁ ଶିନ୍ଦେ ଗ୍ରୁପର ୧୬ ବିଧାୟକଙ୍କ ଅଯୋଗ୍ୟତା ଉପରେ ଶେଷ ନିଷ୍ପତ୍ତି ନେବେ। ଇତିମଧ୍ୟରେ ଏନ୍‌ସିପିର ବରିଷ୍ଠ ନେତା ଅଜିତ ପାଓ୍ବାର ଦାବି କରିଛନ୍ତି କି ୧୬ ବିଧାୟକ ଅଯୋଗ୍ୟ ଘୋଷଣା ହେବା ପରେ ବି ଶିନ୍ଦେ-ଫଡ୍‌ନବିସ ସରକାର ଭାଙ୍ଗିବ ନାହିଁ। ସେ କହିଛନ୍ତି, ସରକାରଙ୍କ ପ୍ରତି କୌଣସି ବିପଦ ନାହିଁ। ହେଲେ ଅଜିତ ପାଓ୍ବାର ଏହି ଦାବି କେଉଁ ଆଧାରରେ କରିଛନ୍ତି ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, ଗୁରୁବାର ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ବିଧାନସଭା ବାଚସ୍ପତିଙ୍କୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳର ୧୬ ବିଧାୟକଙ୍କ ସଦସ୍ୟତା ଉପରେ ନିଷ୍ପତ୍ତି ନେବାର ଅଧିକାର ଦେଇଛନ୍ତି। ଏହା ପରେ ବିଧାନସଭା ବାଚସ୍ପତି ରାହୁଲ ନାରଭେକର କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ଶୀଘ୍ର ଏହି ବିଷୟରେ ନିଷ୍ପତ୍ତି ନେବେ। ଆଉ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରପେକ୍ଷ ନିଷ୍ପତ୍ତି ନେବେ ଏବଂ କାହାର ଚାପ ଆଗରେ ମୁଣ୍ଡ ନୁଆଁଇବେ ନାହିଁ। ପ୍ରକ୍ରିୟା ଶେଷ କରିବାକୁ ଯେତେ ସମୟ ଲାଗିବ ତାହା ନିଆଯିବ ବୋଲି ସେ କହିଛନ୍ତି।

Share