Categories: ଜାତୀୟ

ଭୂସ୍ଖଳନ ଯୋଗୁ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥ ବନ୍ଦ

ଶିମଲା,୩୧।୭: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଥିଯୋଗୁ ରାଜ୍ୟରେ ଅନେକ ରାସ୍ତା ବନ୍ଦ ହୋଇପଡ଼ିଥିବାରୁ ଯାତାୟତରେ ବାଧା ଉପୁଜିଛି। ଇତିମଧ୍ୟରେ ମଣ୍ଡି ଜିଲାର ପାଣ୍ଡୋହ ଅଞ୍ଚଳରେ ଭୂସ୍ଖଳନ ଯୋଗୁ ଚଣ୍ଡିଗଡ଼ ଓ ମନାଲି ଜାତୀୟ ରାଜପଥ-୩ ସାମୟିକ ଭାବେ ବନ୍ଦ ରହିଛି। ଫଳରେ ଯାତାୟତରେ ବାଧା ଉପୁଜିଥିବା ବେଳେ ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ରାସ୍ତାରେ ଅଟକି ରହିଥିବା କେତେକ ଗାଡ଼ିରେ ପଥର ମାଡ଼ ହେବାରୁ କ୍ଷତିଗ୍ରସ୍ତ ହୋଇତିବା ଜଣାପଡ଼ିଛି। ତେଣୁ ସମସ୍ତ ଯାନବାହନକୁ କାଟୁଲା ମାର୍ଗକୁ ଡାଇଭର୍ଟ କରାଯାଇଛି। ତେବେ ଶୁକ୍ରବାରରୁ ବନ୍ଦ ପଡ଼ିଥିବା ଜାତୀୟ ରାଜପଥର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ମଣ୍ଡି ଏସ୍‌ପି ସାଲିନୀ ଅଗ୍ନହୋତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଅନେକ ସ୍ଥାନରେ ଘର ଭୁଷୁଡ଼ିପଡ଼ିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ରାଜଧାନୀ ଶିମଲାରେ ବର୍ଷା ହେତୁ ଘର ଭୁଶୁଡ଼ି ପଡ଼ିବାରୁ ଜଣେ ନଅ ବର୍ଷର ଝିଅ ଆହତ ହୋଇଛି। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଅନ୍ୟପଟେ ଶିମଲାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପୋଲିସ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ପାଣିପାଗ ବିଭାଗ ଦ୍ୱାରା ଦିଆଯାଇଥିବା ଆଡଭାଇଜରି ପରେ ପର୍ଯ୍ୟଟକମାନେ ଶିମଲାକୁ ଆସିବା ଉଚିତ୍‌।

Share