୧୬ରୁ ବନ୍ଦ ରହିବ ଶିମିଳିପାଳ

ବାରିପଦା ଅଫିସ,୧୪।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ)
ପର୍ଯ୍ୟଟକ ଓ ପରିଦର୍ଶକଙ୍କ ନିମନ୍ତେ ଆସନ୍ତା ୧୬ରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ଆରସିସିଏଫ୍‌) ପ୍ରକାଶ ଚାନ୍ଦ ଗୋଗନେନିଙ୍କ କାର୍ଯ୍ୟାଳୟ ପତ୍ରସଂଖ୍ୟା ୭୨/୧୩ା୬ା୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଅଭୟାରଣ୍ୟ ଭିତରେ ଥିବା ଜାମୁଆଣି, ଗୁଡଗଡ଼ିଆ, କୁମାରୀ ଏବଂ ରାମତୀର୍ଥ ଇକୋ ଟୁରିଜିମ୍‌ଗୁଡ଼ିକ ପରିଦର୍ଶକମାନଙ୍କ ପାଇଁ ଖୋଲା ରହିବ ବୋଲି ସେ ଜଣାଇଛନ୍ତି ା ପ୍ରତିବର୍ଷ ବର୍ଷା ଋତୁ ସମୟରେ ଜୁନ ୧୬ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ କରାଯାଇଥାଏ। ମାତ୍ର ଚଳିତବର୍ଷ ପର୍ଯ୍ୟଟକଙ୍କ ନିମନ୍ତେ ମାତ୍ର ୩ ମାସ ବନ୍ଦ କରାଯାଇଛି। ପୂଜା ପାର୍ବଣ ସମୟରେ ପର୍ଯ୍ୟଟକଙ୍କୁ ଅଭୟାରଣ୍ୟ ବୁଲିବାର ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଆରସିସିଏଫ୍‌ ଗୋଗନେନି କହିିଛନ୍ତି। ଅଭୟାରଣ୍ୟକୁ ପ୍ରବେଶ କରୁଥିବା ଉଭୟ ପିଠାବଟା ଓ କାଳିଆମୀ ଫାଟକ ବନ୍ଦ ରହିବ। ଏହା ସହିତ ଅଭୟାରଣ୍ୟ ଭିତରେ ପର୍ଯ୍ୟଟକଙ୍କ ନିମନ୍ତେ ରାତ୍ରିଯାପନ ଓ ସାମୟିକ ରହଣି ନିମନ୍ତେ ଅନ୍‌ଲାଇନ ବୁକିଂ ସୁବିଧା ମଧ୍ୟ ବନ୍ଦ ରହିବ। ବର୍ଷା ଋତୁରେ ଅଭୟାରଣ୍ୟରେ ଥିବା ରାସ୍ତାଘାଟ ଧୋଇଯାଇ ବିପଦସଙ୍କୁଳ ଅବସ୍ଥା ସୃଷ୍ଟି ହେଉଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ବନ୍ଦ କରାଯାଇଥାଏ। ବର୍ଷା ଦିନ ପରେ ଉକ୍ତ ରାସ୍ତାଗୁଡ଼ିକ ମରାମତି କରାଯାଇ ଯାନବାହନ ଚଳପ୍ରଚଳ ପାଇଁ ଅନୁମତି ଦିଆଯାଇଥାଏ।