ସ୍ବାମୀ ଗିରଫ ହେବା ପରେ ବଢିଲା ଶିଳ୍ପା ସେଟ୍ଟୀଙ୍କ ଅଡୁଆ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ କିଛି ଆପ ମାଧ୍ୟମରେ ପ୍ରକାଶନ ଅଭିଯୋଗରେ ମୁମ୍ବାଇ ପୋଲିସର କ୍ରାଇମ ଶାଖା ଗିରଫ କରିଛି। ଏହି ଗିରଫ ପରଠାରୁ ଲୋକମାନେ ଟୁଇଟରରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଶିଳ୍ପା ୧୪ ବର୍ଷ ପରେ ଚଳିତ ବର୍ଷ ବଡ ପରଦାରେ ଫେରିବାକୁ ଯାଉଛନ୍ତ। ତାଙ୍କୁ ଦୁଇଟି ବଡ ବଜେଟ ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତ୍ରୀ ଭାବରେ ଦେଖିବାକୁ ମିଳିବ। ସେ ଖୁବ ଶୀଘ୍ର ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ନିକ୍କମା’ ଏବଂ ‘ହଙ୍ଗାମା ୨’ରେ ନଜର ଆସିବେ। ଏଭଳି ପରିସ୍ଥିତିରେ ତାଙ୍କ ସ୍ବାମୀଙ୍କ ଗିରଫଦାରୀ ଉଭୟ ଚଳଚ୍ଚିତ୍ର ଉପରେ ସିଧାସଳଖ ପ୍ରଭାବ ପକାଇପାରେ, ଯାହା ତାଙ୍କ ସମସ୍ୟାକୁ ବଢାଇପାରେ। ୨୦୦୩ ଚଳଚ୍ଚିତ୍ର ହଙ୍ଗାମାର ଏକ ସିକ୍ୱେଲ ହଙ୍ଗାମା ୨ ଜୁଲାଇ୨୩ରେ ଡିଜନି ପ୍ଲସ ହଟଷ୍ଟାରରେ ମୁକ୍ତିଲାଭ କରିବାକୁ ଯାଉଛି।
ଏଥି ସହ ଶବୀର ଖାନଙ୍କ ଫିଲ୍ମ ‘ନିକ୍କମା’ର ରିଲିଜ ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ। ୨୦୦୭ ମସିହାରେ ଫିଲ୍ମ ‘ଆପ୍‌ନେ’ରେ ମୁଖ୍ୟ ଅଭିନେତ୍ରୀ ଭାବରେ ଶିଳ୍ପା ଶେଟ୍ଟୀଙ୍କୁ ବଡ ପରଦାରେ ଦେଖିବାକୁ ମିଳିଥିଲା, ଯାହା ପରେ ସେ ୨୦୦୯ ମସିହାରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ। ବିବାହ ପରେ, ସେ ଚଳଚ୍ଚିତ୍ରଠାରୁ ଦୂରରେ ଥିଲେ, କିନ୍ତୁ ୧୪ ବର୍ଷ ପରେ ସେ ପୁଣି ଥରେ ଚଳଚ୍ଚିତ୍ରରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଛୋଟ ପରଦା ବିଷୟରେ କହିବାକୁ ଗଲେ ଶିଳ୍ପା ୫ ବର୍ଷ ଧରି ଡ୍ୟାନ୍ସ ରିଅଲିଟି ଶୋ ‘ସୁପର ଡାନ୍ସର୍‌’ରେ ଜଣେ ଜଜ ଭୂମିକାରେ ନଜର ଆସୁଛନ୍ତି। କିନ୍ତୁ ସ୍ବାମୀ ଗିରଫ ହେବା ପରେ ସେ ଏହି ଶୋ’ର ଅଂଶ ହେବେ ନା ନାହିଁ, କେବଳ ସମୟ କହିବ କିନ୍ତୁ ଏହା ନିଶ୍ଚିତ ଭାବରେ ତାଙ୍କ କ୍ୟାରିୟର ଉପରେ ମଧ୍ୟ ପ୍ରଭାବ ପକାଇପାରେ।

Share