ପୁଣି ହରଡ଼ଘଣାରେ ଶିଳ୍ପା-କୁନ୍ଦ୍ରା…

ନୂଆଦିଲ୍ଲୀ,୧୪।୧୧: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବିବାଦରେ ପଡ଼ିଛନ୍ତି। ସତେ ଯେପରି ସଙ୍କଟ ସେମାନଙ୍କର ପଛ ଛାଡୁନି। ଏବେ ଜଣେ ଯୁବକ ସେମାନଙ୍କ ବିରୋଧରେ ୧ କୋଟି ୫୧ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି। ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେଶନରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏଫଆଇଆର୍‌ ପଞ୍ଜିକୃତ ହୋଇଛି। ଫଳରେ ସେମାନେ ପୁଣି ହରଡ଼ଘଣାରେ ପଡ଼ିଛନ୍ତି। ଏହା ସହିତ ଫ୍ୟାଶନ ଟିଭିର ପରିଚାଳନା ନିର୍ଦ୍ଦେଶକ କାଶିଫ ଖାଁ ଏବଂ ଅନ୍ୟଜଣଙ୍କ ବିରୋଧରେ ମଧ୍ୟ ଠକେଇ ଅଭିଯୋଗ ହୋଇଛିି। ପୁଣେରେ ରହୁଥିବା ନିତିନ ବାରାଇ ନାମକ ଜଣେ ଯୁବକ ଏହି ତିନିଜଣଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି।

ଯୁବକ କହିିଛନ୍ତି ଯେ ଏହି ଘଟଣା ଜୁଲାଇ ୨୦୧୪ରେ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଯୁବକଙ୍କ ଅଭିଯୋଗ ପରେ ପୋଲିସ ଆଇପିସିର ଧାରା ୪୨୦, ୫୦୬ ଅନ୍ତର୍ଗତ ମାମଲା ରୁଜୁ କରିଛି। ଅଭିଯୋଗକାରୀ କହିଛନ୍ତି ଯେ ଏସଏଫଏଲ୍‌ ଫିଟନେସ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ କାଶିଫ ଖାଁ, ଶିଳ୍ପା ଶେଟ୍ଟୀ, ରାଜ କୁନ୍ଦ୍ରା ଏବଂ ଅନ୍ୟମାନେ ଏହି ଫିଟନେସ ସେଣ୍ଟରରେ ଟଙ୍କା ବିନିଯୋଗ କରିବାକୁ କହିଥିଲେ ଏବଂ ଲାଭର ପ୍ରତିଶୃତି ଦେଇଥିଲେ। ଯୁବକ କହିିଛନ୍ତି ଯେ ଯେତେବେଳେ ଏହା ଘଟିଲା ନାହିଁ ଏବଂ ସେ ତାଙ୍କ ଟଙ୍କା ମାଗିଥିଲେ, ସେତେବେଳେ ତାଙ୍କୁ ଧମକ ଦିଆଯାଇଥିଲା। ତେବେ ଏପର୍ଯ୍ୟନ୍ତ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ପକ୍ଷରୁ ଏହି ମାମଲା ନେଇ କୌଣସି ବିବୃତ୍ତି ଆସିନାହିଁ।

ନିକଟରେ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳତା ମାମଲାରେ ଗିରଫ କରାଯାଇଥିଲା। ଏବେ ଅନ୍ୟ ଏକ ମାମଲାରେ ସେ ଆଇନ ଜାଲରେ ପୁଣି ଛନ୍ଦି ହୋଇପଡ଼ିଛନ୍ତି। ରାଜ କୁନ୍ଦ୍ରାଙ୍କୁ ଜୁଲାଇରେ ଅଶ୍ଳୀଳ ଭିଡିଓ ମାମଲାରେ ଗିରଫ କରାଯାଇଥିଲା। ରାଜଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଆପ ଦେଖାଇଥିବା ଅଭିଯୋଗ ହୋଇଥିଲା। ଚଢ଼ାାଉ ପରେ ତାଙ୍କୁ ଗିରଫ କରାଯାଇଥିଲା। ପ୍ରାୟ ଦୁଇ ମାସ ଜେଲରେ ରହିବା ପରେ ସେପ୍ଟେମ୍ବରରେ ରାଜ କୁନ୍ଦ୍ରା ଜାମିନ ପାଇଥିଲେ। ଜେଲରୁ ମୁକୁଳିବା ପରେ ରାଜ କୁନ୍ଦ୍ରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ ମଧ୍ୟ କରି ଦେଇଛନ୍ତି।

Share