Categories: ଖେଳ

ଉପରକୁ ଉଠିଲେ ଧାଓ୍ବନ୍‌

ଦୁବାଇ,୨୭ା୭:ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଉପରକୁ ଉଠିଛନ୍ତି ଶିଖର ଧାଓ୍ବନ ଓ ଶ୍ରେୟସ ଆୟାର। ଚଳିତ ଓ୍ବେଷ୍ଟଇଣ୍ଡିଜ୍‌ ସିରିଜର ପ୍ରଥମ ମ୍ୟାଚରେ ଧାଓ୍ବନ୍‌ ୯୭ ରନ୍‌ କରିଥିବା ବେଳେ ଆୟା ବ୍ୟାକ୍‌ ଟୁ ବ୍ୟାକ୍‌ ଅର୍ଦ୍ଧଶତକ ହାସଲ କରିଛନ୍ତି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଉଥିବା ଏହି ଓପନରଙ୍କୁ ୧୩ଟି ସ୍ଥାନର ପଦୋନ୍ନତି ମିଳିଛି। କ୍ରମାଗତ ଅର୍ଦ୍ଧଶତକ ହାସଲ କରିଥିବା ଆୟର ମଧ୍ୟ ୨୦ଟି ସ୍ଥାନ ଉପରକୁ ଉଠିବା ସହିତ ଯୁଗ୍ମ ୫୪ରେ ରହିଛନ୍ତି। ଭାରତୀୟ ବୋଲରଙ୍କ ମଧ୍ୟରେ ମହମ୍ମଦ ସିରାଜ ଟପ୧୦୦ରେ ପ୍ରବେଶ କରିଛନ୍ତି। ୨/୫୭ର ଫିଗର ହାସଲ କରିଥିବା ସିରାଜ ୯୭ତମ ସ୍ଥାନରେ ରହିଛନ୍ତି। ଏହି ସିରିଜ ପାଇଁ ବିଶ୍ରାମ ନେଇଥିବା ବିରାଟ କୋହଲି ଓ ରୋହିତ ଶର୍ମା ଗୋଟିଏ ଲେଖାଏ ସ୍ଥାନ ତଳକୁ ଖସି ଯଥାକ୍ରମେ ୫ମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି। ଶତକୀୟ ମ୍ୟାଚରେ ଶତକ ହାସଲ କରିଥିବା ଶାଇ ହୋପ୍‌ ୩ଟି ସ୍ଥାନ ଉପରକୁ ଉଠି ୧୨ଶ ସ୍ଥାନରେ ପହଞ୍ଚିଛନ୍ତି। ଆଲଜାରି ଯୋଶେଫ୍‌ ଦୁଇଟି ସ୍ଥାନ ଉପରକୁ ଉଠି ୧୬ତମ ସ୍ଥାନରେ ରହିଛନ୍ତି।
ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି କକ୍‌ଙ୍କୁ ଅନ୍ତିମ ଦିନିକିଆରେ ୯୨ ରନ୍‌ ପାଇଁ ଦୁଇଟି ସ୍ଥାନର ପଦୋନ୍ନତି ମିଳିଛି। ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଡି କକ୍‌ ୪ ନମ୍ବର ସ୍ଥାନରେ ରହିଛନ୍ତି। ବୋଲରଙ୍କ ସ୍ଥାନରେ ଡେଭିଡ ଓ୍ବିଲି ୨୩ ନମ୍ବରରେ ରହିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ୪ର୍ଥ ଇନିଂସରେ ୧୬୦ ରନର ଇନିଂସ ଖେଳିଥିବା ଅବଦୁଲ୍ଲା ଶଫିକ୍‌ ୨୩ଟି ସ୍ଥାନ ଉପରକୁ ଉଠି ୧୬ ତମ ସ୍ଥାନରେ ପହଞ୍ଚିଛନ୍ତି। ଷ୍ଟିଭ୍‌ ସ୍ମିଥଙ୍କୁ ଅତିକ୍ରମ କରି ବାବର ଆଜମ୍‌ ଟେଷ୍ଟ ର଼୍ୟାଙ୍କିଙ୍ଗର ତୃତୀୟ ସ୍ଥାନରେ ରହିଥିବା ବେଳେ ଦିନିକିଆ ଏବଂ ଟି୨୦ରେ ଏକ ନମ୍ବର ସ୍ଥାନରେ ରହିଛନ୍ତି।

Share