ପାଟୁଳି ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ଚଞ୍ଚକତା କରି ସ୍ଥାନାନ୍ତର, ପ୍ରତିବାଦରେ ଧାରଣା ଦେଲେ ଗ୍ରାମବାସୀ

ଭଦ୍ରକ,୩୧ା୧(ସନାତନ ରାଉତ): ୧୯୯୨ଠାରୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଚାଲି ଆସୁଥିବା ପାଟୁଳି ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ଚଞ୍ଚକତା କରି ସ୍ଥାନାନ୍ତରିତ କରିବା ପ୍ରତିବାଦରେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ବସିଛନ୍ତି ପାଟୁଳି ଗ୍ରାମବାସୀ। ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦୧୩ରୁ ଏଏନ୍‌ଏମ ପୋଷ୍ଟିଂ ପରଠାରୁ ଚିକିତ୍ସା ପାଇ ଆସୁଛନ୍ତି। ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଖାପାଖି ୭ କିଲୋମିଟର ଦୂର ହେଉଥିବାରୁ ପାଟୁଳି ଗ୍ରାମବାସୀ ସେଠାକୁ ଯାଇ ନ ପାରି ନିଜ ଅଞ୍ଚଳରେ ଥିବା ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ଏବେ ଏହି ସ୍ବାସ୍ଥ୍ୟ ଉପକେନ୍ଦ୍ରଟିକୁ ମୋବାରକପୁରକୁ ସ୍ଥାନାନ୍ତର କରାଯାଇ ସେଠାରେ ନୂତନ କୋଠା ନିର୍ମାଣ କାର୍ଯ୍ୟ କରାଯାଉଛି। ଯାହାକୁ ନେଇ ପାଟୁଳି ଗ୍ରାମବାସୀ ଏହି କାର୍ଯ୍ୟକୁ ବନ୍ଦ କରାଯିବା ସହ ଯେଉଁଠାରେ ସ୍ବାସ୍ଥ୍ୟ ଉପକେନ୍ଦ୍ର ରହିଛି ସେଠାରେ ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି। ଏହାକୁ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନ ଥିଲେ। ଶେଷରେ ବାଧ୍ୟ ହୋଇ ପାଟୁଳି ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ ବନ୍ଦ ନ ହୋଇଛି, ଆମ ଦାବି ନ ଶୁଣିଛନ୍ତି ସେ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଗ୍ରାମବାସୀ କହିଛନ୍ତି।