‘କାର୍ଯ୍ୟ କରୁନି, ଲାଭ ନେଉଛି ଏସ୍‌ଏଚ୍‌ଜି’

ଅନୁଗୋଳ ଅଫିସ, ୪।୩:  ଅନୁଗୋଳ ସଭାଘରଠାରେ ଶୁକ୍ରବାର ‘ଆମ ପୋଖରୀ’ ନେଇ କ୍ଲଷ୍ଟରସ୍ତରୀୟ କର୍ମଶାଳା ଚାଲିଥିବା ବେଳେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତ। ପୌରାଞ୍ଚଳରେ ଏସ୍‌ଏଚ୍‌ଜି କୌଣସି ଉନ୍ନୟନ କାର୍ଯ୍ୟ କରୁନାହିଁ। ଏହା ଠିକାଦାର କରୁଛନ୍ତି। ହେଲେ ଏସ୍‌ଏଚ୍‌ଜି ମାଧ୍ୟମରେ ତାହା କରାଯାଇଥିବା ସମସ୍ତେ ଜାଣୁଛନ୍ତି। କିନ୍ତୁ ଏସ୍‌ଏଚ୍‌ଜି ଆକାଉଣ୍ଟକୁ କେବଳ ଟଙ୍କା ଯାଉଛି। ସେମାନେ ତାଙ୍କର ଲାଭ ନେଇ ବସିଯାଉଛନ୍ତି। ଏଥିରେ ପରିବର୍ତ୍ତନ ନ ହେଲେ ଆଗକୁ ବିପଦ ସୃଷ୍ଟି ହେବ ବୋଲି ନଗରପାଳ କର୍ମଶାଳାରେ ମତ ରଖିବା ସହ ଏ ନେଇ ସରକାରଙ୍କୁ ଅବଗତ କରିବାକୁ କର୍ମଶାଳାରେ ଉପସ୍ଥିତ ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ସାଗରିକା ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେବା ଚର୍ଚ୍ଚାର ବିଷୟ ହୋଇଛି।
କର୍ମଶାଳାରେ ନଗରପାଳ କହିଥିଲେ, ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୌରାଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି। ଏହା ଏସ୍‌ଏଚ୍‌ଜିଙ୍କ ଦ୍ୱାରା କରାଯାଉଛି। କିନ୍ତୁ ବାସ୍ତବରେ କୌଣସି ଏସ୍‌ଏଚ୍‌ଜି କେଉଁ ଅଞ୍ଚଳରେ କ’ଣ କାର୍ଯ୍ୟ ହେଉଛି ତାହା ଜାଣୁନାହାନ୍ତି। ଏସବୁ କାର୍ଯ୍ୟ ଠିକାଦାର କରୁଛନ୍ତି। ପୂର୍ବରୁ ଏସ୍‌ଏଚ୍‌ଜି ଆକାଉଣ୍ଟ ମାଧ୍ୟମରେ ଶ୍ରମିକମାନଙ୍କୁ ମଜୁରି ଟଙ୍କା ଦିଆଯାଉଥିଲା। ଏବେ ଉନ୍ନୟନ କାର୍ଯ୍ୟରେ ଲାଗୁଥିବା କଞ୍ଚାମାଲ (ବାଲି, ଲୁହାଛଡ଼, ଗୋଡ଼ି, ସିମେଣ୍ଟ) କିଣିବା ପାଇଁ ଏସ୍‌ଏଚ୍‌ଜି ଆକାଉଣ୍ଟକୁ ଟଙ୍କା ଯିବ। ଏହି ଟଙ୍କା ମହିଳା ଗୋଷ୍ଠୀ ଆକାଉଣ୍ଟକୁ ପଠାଗଲେ ଆଗକୁ ସମସ୍ୟା ହେବ। ଠିକାଦାର ଓ କଞ୍ଚାମାଲ ଯୋଗାଉଥିବା ବ୍ୟବସାୟୀ ଅଡ଼ୁଆରେ ପଡ଼ିବେ। ଯଦି କୌଣସି କାରଣରୁ ଠିକାଦାରଙ୍କ ସହ ଏସ୍‌ଏଚ୍‌ଜିଙ୍କ ତାଳମେଳ ନ ରହିବ ତେବେ ସମସ୍ୟା ଉପୁଜିବ। କର୍ମଶାଳାକୁ ଆସିଥିବା ରାଜ୍ୟର ବିଭିନ୍ନ ପୌରାପାଳିକାର ଅଧ୍ୟକ୍ଷ ଓ କାଉନସିଲରଙ୍କ ପକ୍ଷରୁ ଏହା ପ୍ରସ୍ତାବ ଭାବେ ଗ୍ରହଣ କରାଯାଉଛି। ବିଭାଗୀୟ ସଚିବଙ୍କ ଜରିଆରେ ଏ ନେଇ ସରକାରଙ୍କୁ ଅବଗତ କରାଯାଉ ବୋଲି ଅନୁଗୋଳ ନଗରପାଳ କହିଥିଲେ। ଏହାଛଡ଼ା ମାସିକ ଭତ୍ତା ମିଳୁ ନ ଥିବାରୁ କାଉନସିଲର ଓ ନଗରପାଳଙ୍କ ଠାରୁ ଭିକାରୀଙ୍କ ରୋଜଗାର ଅଧିକ ବୋଲି ସେ କ୍ଷୋଭବ୍ୟକ୍ତ କରିବା ସହ ଯଦି ସମାଜ ସେବା ପାଇଁ ଆମେ ନିଜକୁ ଉତ୍ସର୍ଗ କରୁଛୁ, ତେବେ ବିଧାୟକ ଓ ଏମ୍‌ପିଙ୍କ ଦରମା ବନ୍ଦ କରାଯାଉ ବୋଲି ନଗରପାଳ ଜୋର୍‌ ଦେଇଥିଲେ। ତେବେ ଅନୁଗୋଳ ନଗରପାଳଙ୍କ ଏପରି ପ୍ରସ୍ତାବକୁ କର୍ମଶାଳାରେ ଉପସ୍ଥିତ ରାଜ୍ୟର ବିଭିନ୍ନ ପୌରପାଳିକାରୁ ଆସିଥିବା ଅଧିକାରୀ, ଜନପ୍ରତିନିଧି ଗ୍ରହଣ କରି ନ ଥିଲେ। ସରକାରଙ୍କ ଆଭିମୁଖ୍ୟ ଠିକାଦାରମୁକ୍ତ ପୌରାଞ୍ଚଳ। ତେଣୁ ମିଶନ ଶକ୍ତି ମାଧ୍ୟମରେ ସମଗ୍ର ଉନ୍ନୟନ କାର୍ଯ୍ୟ ପରିଚାଳନା କରାଯାଉଥିବା ସେମାନେ କହିଥିଲେ। ଏ ସମ୍ପର୍କରେ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ କହିଛନ୍ତି, ମା’ମାନଙ୍କ ହାତକୁ କାମ ଦେବା ସରକାରଙ୍କ ଲକ୍ଷ୍ୟ। ସେମାନଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବା ଲକ୍ଷ୍ୟ ନେଇ ସରକାର ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରୁଛନ୍ତି।