ଗାଁରେ ବ୍ରାଇଡାଲ ମେକ୍‌ଅପ୍‌ ଦେବେ ଏସ୍‌ଏଚ୍‌ଜି ସଦସ୍ୟା

ଭଦ୍ରକ ଅଫିସ,୬ା୩:ଏବେ ଗଁାରେ ମିଳିବ ମେକ୍‌ଅପ୍‌ ସୁବିଧା। ବ୍ରାଇଡାଲ ମେକ୍‌ଅପ୍‌ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପାର୍ଲର ସେବା ଗଁାର ଯୁବତୀ ଓ ମହିଳାମାନେ ପାଇପାରିବେ। ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟାମାନଙ୍କ ଦ୍ୱାରା ଏହି ସୁବିଧା ପାଇଁ ମିଶନ ଶକ୍ତି ବିଭାଗ ପକ୍ଷରୁ ତାଲିମ ଦିଆଯାଇଛି। ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ବାବା ଧବଳେଶ୍ୱର ମହିଳା ମହାସଂଘ ଅଧୀନ ମା’ ତାରିଣୀ ଗୋଷ୍ଠୀର ସଦସ୍ୟା ଧରିତ୍ରୀ ଜେନା ଓ ବଜରଙ୍ଗବାଲି ଗୋଷ୍ଠୀର ସରସ୍ବତୀ ଜେନା ପ୍ରଥମ ପର୍ଯ୍ୟାୟରେ ତାଲିମ ଗ୍ରହଣ କରିଛନ୍ତି। ସେମାନେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ମାସେ ତାଲିମ ନେଇ ଫେରିଛନ୍ତି।
ତାଲିମପ୍ରାପ୍ତ ଦୁଇଯୁବତୀ ଏବେ ନିଜ ସଂଘ ମାଧ୍ୟମରେ ଗଁାରେ ସେବା ଯୋଗାଇବା ସହ ରୋଜଗାର କରି ସ୍ବାବଲମ୍ବୀ ହୋଇପାରିବେ। ଗଁାରେ ଏହି ସୁବିଧା ଉପଲବ୍ଧ ହେବା ସହ ସେମାନେ ନିଜେ ମଧ୍ୟ ଅନ୍ୟମାନଙ୍କୁ ତାଲିମ ଦେଇପାରିବେ। ତେବେ ଏ ବିଷୟରେ ଅଧିକ ପାରଙ୍ଗମ ହେବା ପାଇଁ ସେମାନଙ୍କୁ ଆଉ ଗୋଟିଏ ତାଲିମ ନେବାକୁ ପଡ଼ିବ ବୋଲି ଦୁଇ ସଦସ୍ୟା କହିଛନ୍ତି। ପୂର୍ବରୁ ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ ପ୍ରକାର କାର୍ଯ୍ୟରେ ନିୟୋଜିତ ହୋଇ ସ୍ବାବଲମ୍ବୀ ହେଉଥିବା ବେଳେ ଏବେ ଏହି ତାଲିମ ଆଉ ଏକ ନୂଆ ସୁଯୋଗ ସୃଷ୍ଟି କରିଛି। ଆଗାମୀ ଦିନରେ ଅଧିକ ସ୍ବୟଂସହାୟକ ଗୋଷ୍ଠୀ ସଦସ୍ୟା ବ୍ରାଇଡାଲ ମେକ୍‌ଅପ୍‌ ତାଲିମ ନେବେ। ମହିଳା ଗୋଷ୍ଠୀ ପାଇଁ ବ୍ରାଇଡାଲ ମେକ୍‌ଅପ୍‌ ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ବୋଲି ଏମ୍‌ବିକେ କମଳା ମିଶ୍ର କହିଛନ୍ତି।