ଏସ୍‌ଏଚ୍‌ଜି ମହିଳାଙ୍କୁ ଚାଉଳ ବଣ୍ଟନ ଦାୟିତ୍ୱରୁ ବନ୍ଦ ଦାବିରେ ଜାତୀୟ ରାଜପଥ ଅବରୋଧ

ପାପଡ଼ାହାଣ୍ଡି,୯ା୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ତୁମ୍ବର୍ଲା ପଞ୍ଚାୟତରେ ଏସ୍‌ଏଚ୍‌ଜି ମହିଳାଙ୍କୁ ଚାଉଳ ବଣ୍ଟନ ପ୍ରତିବାଦରେ ବୁଧବାର ପଞ୍ଚାୟତବାସୀ ୨୬ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ପଞ୍ଚାୟତକୁ ଚାଉଳ ବଣ୍ଟନ ଦାୟିତ୍ୱ ଦିଆ ନ ଯିବା ଲାଗି ଜିଦ୍‌ରେ ଅଟଳ ଥିଲେ। ଫଳରେ ନବରଙ୍ଗପୁରଠାରୁ କଳାହାଣ୍ଡିକୁ ଯାତାୟାତ ବନ୍ଦ ରହିଛି।

ସୂଚନା ମୁତାବକ ତୁମ୍ବର୍ଲା ପଞ୍ଚାୟତରେ ଏସ୍‌ଏଚ୍‌ଜି ମହିଳାମାନେ ଚାଉଳ ବଣ୍ଟନ କରୁଛନ୍ତି। ଏହାକୁ ପଞ୍ଚାୟତବାସୀ ବିରୋଧ କରିବା ସହ ଗତ ନଭେମ୍ବର ୨ ତାରିଖରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଜିଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଶୀଘ୍ର ସମସ୍ୟାର ସମଧାନ ଲାଗି ଜଣାଇଥିଲେ। ଦାବିପତ୍ରର କୌଣସି ପଦକ୍ଷେପ ନ ନେବାରୁ ପୁଣି ବୁଧବାର ଶତାଧିକ ଲୋକ ଜାତୀୟ ରାଜପଥ ୨୬ ଅବରୋଧ କରି ବସିଛନ୍ତି। ଗ୍ରାମରୁ ଶତାଧିକ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିବା ସହ ଏସ୍‌ଏଚ୍‌ଜିଙ୍କୁ ଚାଉଳ ବଣ୍ଟନରୁ ବାଦ ଲାଗି ସ୍ଲୋଗାନ ଦେଇଥିଲେ। ତୁମ୍ବର୍ଲା ଛକରେ ପହଞ୍ଚିବା ପରେ ରାସ୍ତାରୋକୋ  କରିଥିଲେ। ଖବର ଲେଖା ପର୍ଯ୍ୟନ୍ତ ରାସ୍ତାରୋକୋ ଜାରିରହିଛି। ଖବର ପାଇ ଏକ ପ୍ଲାଟୁନ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସରପଞ୍ଚ ମୁରଲୀଧର ନାୟକଙ୍କ ସହ ଅକ୍ଷୟ ସାହୁ,ସଞ୍ଜୀବ ନାଗ, ରାଜେନ୍ଦ୍ର କଚିମ,ସତ୍ୟନାରାୟଣ ସାହୁ, ଦିବ୍ୟାଦାନ କଚିମ, ତୁଲାରାମ ନାୟକ,ପରମେଶ୍ୱର ବିଷୋୟୀ,ଯୋଗେନ୍ଦ୍ର ବାଘ,ବୀର କିଶୋର ହରିଜନ, ମହାଦେବ ଭତରା,ଜୀବନ କଚିମଙ୍କ ସହ ଶତାଧିକ ପଞ୍ଚାୟତବାସୀ ରାସ୍ତାରୋକୋରେ ସାମିଲ ହୋଇଛନ୍ତି।