ବିଦେଶରେ ଚାକିରି ଛାଡି ବଲିଉଡରେ ପାଦ ରଖିଥିଲେ ଶେଖର କପୁର

ମୁମ୍ବାଇ: ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଶେଖର କପୁର ଡିସେମ୍ବର ୬ରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ୧୯୪୫ରେ ଲାହୋରରେ ଜନ୍ମ ନେଇଥିଲେ ଶେଖର । ଉଚ୍ଚଶିକ୍ଷା ପରେ ଲଣ୍ଡନରେ ଚାର୍ଟାଡ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ । ହେଲେ ଏହି ସମୟରେ ଦେବ ଆନନ୍ଦ ତାଙ୍କୁ ବଲିଉଡରେ ଯୋଗ ଦେବାକୁ କହିଥିଲେ । ସବୁକୁ ପଛରେ ପକାଇ ଶେଖର ଆସିଥିଲେ ବଲିଉଡ ।
ପ୍ରଥମେ ସେ ଜଣେ ଅଭିନେତା ଭାବେ ‘ଜାନ ହାଜିର ହୈ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯାହା ୧୯୭୫ରେ ରିଲିଜ୍ ହୋଇଥିଲା । ଏହାପରଠାରୁ ସେ ଆଉ ପଛକୁ ଫେରି ଦେଖି ନାହାନ୍ତି ଏହାପରେ ସେ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ମନ ବଳାଇଲେ । ୧୯୮୩ରେ ସେ ‘ମାସୁମ’ ଫିଲ୍ମର ନିର୍ଦ୍ଦେଶନା ଦେଲେ । ହେଲେ ୧୯୮୭ରେ ତାଙ୍କ କ୍ୟାରିୟରରେ ଆସିଲା ଏକ ଟର୍ଣ୍ଣିଂ ପଏଣ୍ଟ । ସେହିବର୍ଷ ସେ ନିର୍ମାଣ କଲେ ‘ମିଷ୍ଟର ଇଣ୍ଡିଆ’ ଯାହା ଇତିହାସ ରଚିଲା । ଏହାପରେ ନିର୍ଦ୍ଦେଶକ ଭାବେ ଶେଖର ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଭେଟିଦେଲେ ବଲିଉଡ ଦର୍ଶକଙ୍କୁ । ସୂଚନାଯୋଗ୍ୟ, ଶେଖର କିଛି ବର୍ଷ ହେବ ତାଙ୍କ ଡ୍ରିମ ପ୍ରୋଜେକ୍ଟ ପାଣିକୁ ନେଇ କାମ କରୁଥିଲେ । ଯେଉଁଥିରେ ସେ ସୁଶାନ୍ତ ସିଂ ରାଜପୁତଙ୍କୁ କାଷ୍ଟ କରିବାର ଯୋଜନା କରିଥିଲେ । ହେଲେ ଏହି ଫିଲ୍ମ ଅଧାରେ ହିଁ ରହିଗଲା ।

Share