ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମିଡିଆ ସହ ସିଧାସଳଖ (ଲାଇଭ) ଯୋଡ଼ି ହେବାକୁ ଯାଉଛନ୍ତି। ସେ ଏକ ଭର୍ଚୁଆଲ ପ୍ରେସ କନଫରେନ୍ସ ମାଧ୍ୟମରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବେ।
ଏହି କାର୍ଯ୍ୟକ୍ରମ ଘୋଷଣା ହେବା ପରେ ବାଂଲାଦେଶ ସରକାର ଚିନ୍ତା ପ୍ରକାଶ କରିଛନ୍ତି। ଢାକା ଭାରତ ସରକାରଙ୍କୁ ଏହି କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଅନୁରୋଧ କରିଥିଲା। ତେବେ ଭାରତ ବାଂଲାଦେଶର ଏହି ଅନୁରୋଧକୁ ଖାରଜ କରିଦେଇଛି।
ଉଲ୍ଲେଖଯୋଗ୍ୟ ଯେ, ବାଂଲାଦେଶରେ ଅଗଷ୍ଟ ୨୦୨୪ରେ ହୋଇଥିବା ହିଂସାତ୍ମକ ପ୍ରଦର୍ଶନ ପରେ ଶେଖ ହାସିନା ଦେଶ ଛାଡ଼ି ଭାରତକୁ ଆସିଥିଲେ। ବର୍ତ୍ତମାନ ପ୍ରଥମ ଥର ପାଇଁ ସେ ସର୍ବସାଧାରଣଙ୍କ ସମ୍ମୁଖରେ ନିଜ ପକ୍ଷ ରଖିବାକୁ ଯାଉଛନ୍ତି।
ବାଂଲାଦେଶ ସରକାର ଶେଖ ହାସିନାଙ୍କ ରାଜନୈତିକ କାର୍ଯ୍ୟକଳାପକୁ ନେଇ କଡ଼ା ଆପତ୍ତି ଜଣାଇଛନ୍ତି। ସରକାରଙ୍କ କହିବା ଅନୁଯାୟୀ, ଜଣେ ଅଭିଯୁକ୍ତ ନେତାଙ୍କୁ ଭାରତରେ ଏଭଳି ମଞ୍ଚ ମିଳିବା ଉଚିତ୍ ନୁହେଁ। ଢାକାର ଆଶଙ୍କା ରହିଛି ଯେ, ହାସିନାଙ୍କ ବୟାନ ତାଙ୍କ ସପକ୍ଷରେ ଜନସମର୍ଥନ ବଢ଼ାଇପାରେ।
ଏହାର ଜବାବରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଏହା ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ଏବଂ ଏଥିରେ ଭାରତ ସରକାରଙ୍କ କୌଣସି ଭୂମିକା ନାହିଁ। ଖବରଦାତାମାନେ ସିଧାସଳଖ ଭାବେ ଶେଖ ହାସିନାଙ୍କ ସହ ଯୋଗାଯୋଗ କରୁଛନ୍ତି ଏବଂ ସାକ୍ଷାତକାର ଦେବା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି।