ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ଦେଇଥିବା ଉଦ୍ବୋଧନରେ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ନିର୍ବାସନ ପରେ ପ୍ରଥମ ଥର ପାଇଁ ଭିସିରେ ହାସିନା ସମ୍ବୋଧନ କରିଥିଲେ । ଭାଷଣ ସମୟରେ ସେ ଭାବବିହ୍ୱଳ ହୋଇ କହିଥିଲେ ଯେ, ବର୍ତ୍ତମାନର ବାଂଲାଦେଶ ସେହି ଦେଶ ନୁହେଁ, ଯାହା ପାଇଁ ୧୯୭୧ ମସିହାର ୩୦ ଲକ୍ଷ ଲୋକ ବଳିଦାନ ଦେଇଥିଲେ। ଗତ ୨ ବର୍ଷ ହେଲା ବାଂଲାଦେଶରେ ଅରାଜକତା ଚାଲିଛି ।
ଶେଖ ହାସିନା କହିଥିଲେ ଯେ, ସେ ନିଜ ଜୀବନ ବାଂଲାଦେଶର ଲୋକଙ୍କ ସେବାରେ ବିତାଇଛନ୍ତି । ପରିସ୍ଥିତି ତାଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରିଥିଲେ ମଧ୍ୟ ସେ କେବେ ନିଜ ଦେଶବାସୀଙ୍କଠାରୁ ଦୂରେଇ ଯାଇନାହାନ୍ତି। ଦୁଇ ବର୍ଷ ପୂର୍ବରୁ ବାଂଲାଦେଶରେ ହୋଇଥିବା ଆନ୍ଦୋଳନକୁ ଉଲ୍ଲେଖ କରି ସେ କହିଥିଲେ ଯେ, ଜୁଲାଇ-ଅଗଷ୍ଟ ୨୦୨୪ର ଘଟଣା କୌଣସି ଶାନ୍ତିପୂର୍ଣ୍ଣ ଛାତ୍ର ଆନ୍ଦୋଳନ ନଥିଲା। ତାଙ୍କ ସରକାର ଆଲୋଚନା, ଆଇନଗତ ପ୍ରକ୍ରିୟା ଏବଂ ଧୈର୍ଯ୍ୟର ସହ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିଥିଲେ। କିନ୍ତୁ କିଛି ସଂଗଠିତ ଗୋଷ୍ଠୀ ସଂସ୍କାର ଦାବିର ଆଳରେ ଛାତ୍ରମାନଙ୍କ ଆନ୍ଦୋଳନକୁ ହିଂସାତ୍ମକ ରାଜନୈତିକ ଅସ୍ତ୍ରରେ ପରିଣତ କରିଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।
ଶେଖ ହାସିନାଙ୍କ ଉଦ୍ବୋଧନ ପୂର୍ବରୁ ନିର୍ବାସନରେ ଥିବା ଆୱାମୀ ଲିଗ୍ର ନେତାମାନେ ମଧ୍ୟ ବାଂଲାଦେଶର ପୂର୍ବତନ ସରକାରୀ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ କଡ଼ା ସମାଲୋଚନା କରିଥିଲେ।ବାଂଲାଦେଶରେ ଶେଖ ହାସିନା ସରକାରରେ ମନ୍ତ୍ରୀ ଥିବା ମୋହିବୁଲ ହାସାନ ଚୌଧୁରୀ ନୌଫେଲ କହିଥିଲେ ଯେ, ଆୱାମୀ ଲିଗ୍ ପ୍ରତିଶୋଧ ଚାହୁଁନାହିଁ, ବରଂ ନ୍ୟାୟ ଚାହୁଁଛି। ସେ ଆନ୍ତର୍ଜାତିକ ସମୁଦାୟଙ୍କୁ ବାଂଲାଦେଶରେ ଧାର୍ମିକ କଟ୍ଟରବାଦକୁ ପ୍ରୋତ୍ସାହନ ନ ଦେବାକୁ ଅନୁରୋଧ କରିଥିଲେ। ବାଂଲାଦେଶ ଏକ ବିଫଳ ରାଷ୍ଟ୍ରରେ ପରିଣତ ନ ହେଉ ବୋଲି ସେ ଆହ୍ୱାନ ଜଣାଇଥିଲେ। ମୁଁ ମୋ ଦେଶକୁ ଫେରିବି, ଜନତା ଶାନ୍ତି ଓ ସମୃଦ୍ଧି ପାଇବାକୁ ହକ୍ଦାର ।