ଆଓ୍ବାମି ଲିଗ୍‌ ଅଧ୍ୟକ୍ଷା ହେଲେ ଶେଖ ହସିନା…

ଢାକା,୨୪।୧୨ : ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଲଗାତାର ୧୦ମ ଥରପାଇଁ ଶନିବାର ଆଓ୍ବାମି ଲିଗ୍‌ର ଅଧ୍ୟକ୍ଷା ଭାବେ ସଦସ୍ୟଙ୍କ ଦ୍ୱାରା ଚୟନ ହୋଇଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ ଦଳର ଅଧ୍ୟକ୍ଷା ଭାବେ ହସିନା ନିର୍ବାଚିତ ହୋଇଥିବାବେଳେ ଅବଦୁଲ୍‌ କାଦରଙ୍କୁ ରାଷ୍ଟ୍ରୀୟ ମହାସଚିବ ଭାବେ ଚୟନ କରାଯାଇଛି। ଲିଗ୍‌ର ୨୨ ତମ ରାଷ୍ଟ୍ରୀୟ ପରାଷଦରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଦଳର ବରିଷ୍ଠ ନେତା ଆମିର ହୁସେନ ଅମୁ ଅଧ୍ୟକ୍ଷା ଭାବେ ହସିନାଙ୍କ ନାମକୁ ପ୍ରସ୍ତାବିତ କରିଥିଲେ। ଉପସ୍ଥିତ ସମସ୍ତ ସଦସ୍ୟ ଏହାକୁ ସମର୍ଥନ କରିଥିଲେ। ୭୩ ବର୍ଷ ପୁରୁଣା ଆଓ୍ବାମି ଲିଗ୍‌ର ନିୟମ ଅନୁସାରେ ହସିନା ଆସନ୍ତା ୩ ବର୍ଷ ପାଇଁ ଅଧ୍ୟକ୍ଷା ପଦରେ ରହିବେ। ପୁଣି ଥରେ ଅଧ୍ୟକ୍ଷା ଭାବେ ଚୟନ ହୋଇଥିବାରୁ ହସିନା ଦଳୀୟ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share