ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ ସ୍ୱରା ଭାସ୍କର ଅଂଶଗ୍ରହଣ କରୁଥିବା ବେଳେ, ଆରମ୍ଭରୁ ହିଁ ଶେହଜାଦ ଓ ଅଭିନେତା ସିୱେଟ୍‌ ତୋମାରଙ୍କ ମଧ୍ୟରେ ଝଗଡ଼ା ହୋଇଛି । ମାମଲା ହାତାହାତି ପର୍ଯ୍ୟନ୍ତ ପହଞ୍ଚିଥିବା ଦାବି କରାଯାଉଛି । ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସ୍ଥିତି ବିଗିଡ଼ୁଥିବା ଦେଖି ସ୍ୱରା ଭାସ୍କରଙ୍କ ସମେତ ଶୋ’ର ଅନ୍ୟ ପ୍ରତିଯୋଗୀମାନେ ମଧ୍ୟ ମଧ୍ୟସ୍ଥତା କରିଥିବା ଦେଖାଯାଇଛି।

ରିପୋର୍ଟ ଅନୁସାରେ, ଶେହଜାଦ ପୁନାୱାଲା ଲଗାତାର ସ୍ୱରା ଭାସ୍କର ଓ ସିୱେଟ୍‌ ତୋମାରଙ୍କୁ ନେଇ ମନ୍ତବ୍ୟ କରୁଥିଲେ । ସେ ସିୱେଟ୍‌ଙ୍କୁ ନେଇ କିଛି ଟିପ୍ପଣୀ କରିବା ସହ ‘ଆଲାଏନ୍ସ’କୁ ନେଇ ମଧ୍ୟ କଥା କହିଥିଲେ । ଶେହଜାଦଙ୍କ ଏଭଳି ମନ୍ତବ୍ୟ ସମୟରେ ସ୍ୱରା ମଧ୍ୟ ଭିତରେ ଆସି କଥା କହିଥିଲେ । ଏହାପରେ ସିୱେଟ୍‌ ତୋମାର ରାଗିଯାଇ ଶେହଜାଦଙ୍କ ଆଡ଼କୁ ଦ୍ରୁତ ଗତିରେ ବଢ଼ିଥିବା ଦେଖାଯାଇଥିଲା। ସ୍ୱରା ତାଙ୍କୁ ରୋକିବାକୁ ଚେଷ୍ଟା କରିଥିବା ରିପୋର୍ଟରେ କୁହାଯାଇଛି।

ପରେ ସିୱେଟ୍‌ ଓ ଶହଜାଦଙ୍କ ମଧ୍ୟରେ ହାତାହାତି ହୋଇଥିବା ଦାବି କରାଯାଇଛି । ମାମଲା ବଢ଼ିବାରୁ ଅନ୍ୟ ପ୍ରତିଯୋଗୀମାନେ ଆସି ଦୁଇଜଣଙ୍କୁ ଅଲଗା କରିଥିଲେ । ସେତେବେଳେ ଶେହଜାଦ ତଳେ ପଡ଼ିଯାଇଥିବା ଦେଖାଯାଇଥିଲା। ସିୱେଟ୍‌ଙ୍କୁ ଅନ୍ୟମାନେ ହଟାଇବା ପରେ ମଧ୍ୟ ସେ ଗାଳିଗୁଲଜ କରିଥିବା ରିପୋର୍ଟରେ ଦାବି କରାଯାଇଛି। ଘଟଣାକୁ ନେଇ ଆମ୍ ଆଦମୀ ପାର୍ଟିର ପ୍ରବକ୍ତା ପ୍ରିୟଙ୍କା କକ୍କଡ଼ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ ସୋସିଆଲ ମିଡିଆରେ ଘଟଣାର ଭିଡିଓ ସେୟାର କରି ଶେହଜାଦଙ୍କ ବ୍ୟବହାରକୁ ନେଇ ମନ୍ତବ୍ୟ କରିଛନ୍ତି । ମାରପିଟ୍‌ କଲେ ଶୋ’ରୁ ଡିସକ୍ୱାଲିଫାଏ ହେବାର ସମ୍ଭାବନା ଥିଲେ ମଧ୍ୟ ଏଭଳି ଘଟଣା ଘଟିଥିବା ସେ କହିଛନ୍ତି ।

 

Dharitri – Odisha’s No.1 Odia Daily

Share