ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଶେହନାଜ ଗାଇଲେ ‘ତୁ ୟହିଁ ହୈ’; ଦେଖନ୍ତୁ ଭାବବିହ୍ବଳ କରୁଥିବା ଉକ୍ତ ଭିଡିଓ

ବମ୍ବେ: କଥିତ ପ୍ରେମିକ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିଥିଲେ ପଞ୍ଜାବୀ ଗାୟିକା ତଥା ଅଭିନେତ୍ରୀ ଶେହନାଜ ଗିଲ। ବିଗ୍‌ବସ୍‌ ଘରୁ ଆରମ୍ଭ ହୋଇଥିବା ଏହି ପ୍ରେମକାହାଣୀରେ ହଠାତ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ସେବେଠାରୁ ସୋସିଆଲ ମିଡିଆରୁ ଗାଏବ ହୋଇଯାଇଥିଲେ ସେ। ଏବେ ଧିରେଧିରେ ସବୁକିଛି ସ୍ବାଭାବିକ ହେଉଥିବା ବେଳେ ଶେହନାଜ ସିଦ୍ଧାର୍ଥଙ୍କ ସ୍ମୃତିକୁ ଧରି ଆଗକୁ ବଢ଼ିବାକୁ ଚାହୁଁଛନ୍ତି। ଏହି କ୍ରମରେ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ନିଜର ଏକ ଗୀତ ‘ତୁ ୟହିଁ ହୈ’ ଗାଇଛନ୍ତି। ଗୀତରେ ସିଦ୍ଧାର୍ଥ-ଶେହନାଜଙ୍କ ଅନେକ ସ୍ମୃତି ରହିଛି। ଏହାକୁ ଦେଖିବା ପରେ ପ୍ରଶଂସକ ଭାବବିହ୍ବଳ ହୋଇଯାଇଛନ୍ତି। ଗୀତଟିକୁ ରଚନା କରିଛନ୍ତି ରାଜ ରଞ୍ଜୋଢ଼। ଶେହନାଜ ଗୁରୁବାର ଏହାର ପୋଷ୍ଟର ରିଲିଜ କରିଥିଲେ। ଫଟୋରେ ଉଭୟଙ୍କ ହସ ହସ ମୁହଁ ରହିଥିଲା। ଶେୟାର କରି ଶେହନାଜ ଲେଖିଥିଲେ, ତୁ ମୋର ଆଉ……। ଶୁକ୍ରବାର ଏହାର ସମ୍ପୂର୍ଣ୍ଣ ଭିଡିଓ ରିଲିଜ ହୋଇଛି। ଭିଡିଓକୁ କେଇ ମିନିଟ ମଧ୍ୟରେ ଲକ୍ଷ ଲକ୍ଷ ଲୋକ ଦେଖିସାରିଥିବା ବେଳେ ହଜାର ହଜାର ପ୍ରଶଂସକ ସିଡନାଜ ସବୁଠାରୁ ଶ୍ରେଷ୍ଠ ଯୋଡ଼ି ହୋଇ ରହିବେ ବୋଲି ମନ୍ତବ୍ୟ ଦେଉଛନ୍ତି।

Share