ଭାରତ ସହ ସୁସମ୍ପର୍କ ଚାହୁଁ

ଇସଲାମାବାଦ,୧୨ା୪: ପାକିସ୍ତାନର ୨୩ ତମ ପ୍ରଧାନମନ୍ତ୍ରୀ ଭାବେ ଶେହବାଜ ଶରିଫ୍‌ ସୋମବାର ଶପଥ ଗ୍ରହଣ କରିଛନ୍ତି। ବିନା ପ୍ରତିଦ୍ୱନ୍ଦ୍ୱିତାରେ ଦେଶର ମୁଖ୍ୟ ଭାବେ ନିର୍ବାଚିତ ହେବା ପରେ ଶେହବାଜ୍‌ ନିଜ ପ୍ରଥମ ଭାଷଣରେ ଚାଇନା, ଭାରତ ଓ ଆମେରିକା ସହ ସମ୍ପର୍କ ସମେତ ଏକାଧିକ ପ୍ରସଙ୍ଗ ଉଠାଇଥିଲେ। ବିଶେଷ କରି ବିଦେଶ ନୀତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପାକିସ୍ତାନ ଭାରତ ସହ ଭଲ ସମ୍ପର୍କ ଚାହେଁ। କିନ୍ତୁ କଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ନ ହେବା ପର୍ଯ୍ୟନ୍ତ ତାହା ହୋଇପାରିବ ନାହିଁ ବୋଲି ଶେହବାଜ କହିଛନ୍ତି। କଶ୍ମୀର ପ୍ରସଙ୍ଗକୁ ପ୍ରତ୍ୟେକ ଅନ୍ତର୍ଜାତୀୟ ମଞ୍ଚରେ ଉପସ୍ଥାପନ କରାଯିବ। ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଝିବା ଆବଶ୍ୟକ ଯେ, ଉଭୟ ଦେଶରେ ଦାରିଦ୍ର୍ୟତା ରହିଛି। ତେଣୁ ଏକାଠି କଶ୍ମୀର ବିବାଦର ସମାଧାନ କରି ଦାରିଦ୍ର୍ୟତା ସହ ଲଢ଼ିବା ପାଇଁ ସେ ଆହ୍ବାନ ଦେଇଛନ୍ତି। ସେହିପରି ଚାଇନା-ପାକିସ୍ତାନର ବନ୍ଧୁତାକୁ ସମୟ ପରୀକ୍ଷା କରିସାରିଛି। ଏହି ସମ୍ପର୍କକୁ କେହି ଭାଙ୍ଗିପାରିବେ ନାହିଁ ବୋଲି ଶେହବାଜ୍‌ କହିଛନ୍ତି। ଆମେରିକା ସହ ପାକିସ୍ତାନର ଐତିହାସିକ ସମ୍ପର୍କ ରହିଆସିଛି। ଏଥିରେ କେତେକ ଦ୍ୱନ୍ଦ୍ୱ ଓ ଭୁଲ ବୁଝାମଣା ରହିଥିବା ସେ ପ୍ରକାଶ କରିଛନ୍ତି।
ଖାନ୍‌ଙ୍କ ସରକାର ଭାଙ୍ଗିବା ପଛରେ ବିଦେଶୀ ଷଡ଼ଯନ୍ତ୍ର ଅଭିଯୋଗ ଏବଂ ‘ଧମକପୂର୍ଣ୍ଣ ଚିଠି’ ବାବଦରେ ମଧ୍ୟ ଶେହବାଜ୍‌ ନିଜ ବକ୍ତବ୍ୟରେ ଉଠାଇଥିଲେ। ସେ କହିଥିଲେ, ମାର୍ଚ୍ଚ ୭ରେ ଉକ୍ତ ଚିଠି ଆସିଥିବା କୁହାଯାଉଛି। କିନ୍ତୁ ଇମ୍ରାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ନିମନ୍ତେ ଏହାର ବହୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ଯଦି ଇମ୍ରାନ୍‌ ମିଛ କହୁନାହାନ୍ତି ତେବେ ସେ ସର୍ବସାଧାରଣରେ ଉକ୍ତ ଚିଠିକୁ ପ୍ରଦର୍ଶନ କରନ୍ତୁ। ଇମ୍ରାନ୍‌ ବିଦେଶୀ ଷଡ଼ଯନ୍ତ୍ରର ପ୍ରମାଣ ଦେଲେ ସେ ଇସ୍ତଫା ଦେଇ ଘରକୁ ପଳାଇବେ। ପାର୍ଲାମେଣ୍ଟର ସୁରକ୍ଷା କମିଟି, ସଶସ୍ତ୍ର ବାହିନୀ ଅଧିକାରୀ, ପ୍ରଶାସନ, ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ ମୁଖ୍ୟ, ବହିର୍ବ୍ୟାପାର ସଚିବ ଏବଂ ସମ୍ପୃକ୍ତ ରାଷ୍ଟ୍ରଦୂତଙ୍କ ଏହି ଚିଠି ବାବଦରେ ସୂଚନା ଦିଆଯିବ ବୋଲି ଶେହବାଜ କହିଥିଲେ।

Share