Categories: ଜାତୀୟ

ଗଣବଳାତ୍କାର ପରେ ହତ୍ୟା କରାଯାଇଥିଲା

ଲକ୍ଷ୍ନୌ,୧୯।୧୨(ପି.ଟି.): ଉତ୍ତରପ୍ରଦେଶର ହାଥ୍‌ରସ୍‌ରେ ଦଳିତ ଯୁବତୀଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶୁକ୍ରବାର ୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଛି। ସେମାନେ ହେଲେ ସନ୍ଦୀପ୍‌, ଲବକୁଶ, ରବି ଓ ରାମୁ। ହାଥରସ୍‌ର ସ୍ଥାନୀୟ ଅଦାଲତ ସିବିଆଇ ଚାର୍ଜଶିଟ୍‌କୁ ବିଚାର ପାଇଁ ଗ୍ରହଣ କରିଛନ୍ତି।
ହାଥରସ୍‌ର ୧୯ ବର୍ଷୀୟା ଦଳିତ ଯୁବତୀଙ୍କୁ ସେପ୍ଟେମ୍ବର ୧୪ରେ ଉଚ୍ଚଜାତିର ୪ ଜଣ ଯୁବକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ୧୫ ଦିନର ଚିକିତ୍ସା ପରେ ସେପ୍ଟେମ୍ବର ୨୯ରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ପୀଡ଼ିତାଙ୍କର ମୃତ୍ୟୁ ହୋଇଥିଲା। ସେହିଦିନ ରାତିରେ ଅତି ତରବରିଆ ଭାବେ ପୀଡ଼ିତାଙ୍କ ଶେଷକୃତ୍ୟ କରାଯାଇଥିଲା। ଏଥିପାଇଁ ପରିବାର ଉପରେ ପୋଲିସ ଚାପ ପକାଇଥିବା ଅଭିଯୋଗ ହୋଇଥିଲା। ସିବିଆଇ ଅଭିଯୁକ୍ତମାନଙ୍କୁ ଜେରା କରିବା ସହ ଫୋରେନ୍‌ସିକ୍‌ ପରୀକ୍ଷା କରାଇଥିଲା। ଏଥିସହିତ ପୀଡ଼ିତା ପ୍ରଥମେ ଚିକିତ୍ସିତ ହେଉଥିବା ଜବାହରଲାଲ୍‌ ନେହେରୁ ମେଡିକାଲ କଲେଜ ହସ୍ପିଟାଲର ଡାକ୍ତରମାନଙ୍କଠାରୁ ତଦନ୍ତକାରୀ ଅଧିକାରୀମାନେ ବୟାନ ନେଇଥିଲେ।
ହାଥରସ୍‌ ମାମଲାକୁ ନେଇ ସେତେବେଳେ ଜୋର୍‌ଦାର ତୁମ୍ବିତୋଫାନ ହେବା ସହ ଯୋଗୀ ଆଦିତ୍ୟନାଥ ସରକାର ସମାଲୋଚିତ ହୋଇଥିଲେ। ଫଳରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ସିବିଆଇ ତଦନ୍ତ ପାଇଁ ଏକ ଟିମ୍‌ ଗଠନ କରିବା ସହ ଏହାର ଗାଜିଆବାଦ ଶାଖାକୁ ତଦନ୍ତ ଦାୟିତ୍ୱ ଦେଇଥିଲା।

ସତ୍ୟମେବ ଜୟତେ

ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଅନ୍ୟାୟକୁ ସୁରକ୍ଷା ଦେବା ପାଇଁ ଉଦ୍ୟମ କରିଥିଲେ। ଏହା ସତ୍ତ୍ୱେ ସତ୍ୟର ବିଜୟ ହୋଇଛି ବୋଲି ହାଥ୍‌ରସ୍‌ ମାମଲାରେ ସିବିଆଇ ପକ୍ଷରୁ ଚାର୍ଜଶିଟ୍‌ ଦାଖଲ ପରେ ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟୁଇଟ୍‌ କରିଛନ୍ତି। ପ୍ରିୟଙ୍କା କହିଛନ୍ତି, ଗୋଟିଏପଟେ ସରକାର ଅନ୍ୟାୟକୁ ସୁରକ୍ଷା ଦେଉଥିବାବେଳେ ଅନ୍ୟପଟେ ନ୍ୟାୟ ଆଶାରେ ପୀଡ଼ିତାଙ୍କ ପରିବାର ଅପେକ୍ଷା କରିଥିଲେ। ପୀଡ଼ିତାଙ୍କ ମୃତଦେହକୁ ଜୋରଜବରଦସ୍ତ ପୋଡ଼ି ଦିଆଯାଇଥିଲା। ଏପରି କି ପୀଡ଼ିତାଙ୍କୁ ବଦନାମ କରିବାକୁ ମଧ୍ୟ ଉଦ୍ୟମ ହୋଇଥିଲା। କିନ୍ତୁ ଶେଷରେ ସତ୍ୟର ବିଜୟ ହୋଇଛି ବୋଲି ପ୍ରିୟଙ୍କା ସିବିଆଇକୁ ପ୍ରଶଂସା କରିଛନ୍ତି।

Share