Categories: ଜାତୀୟ

କେନ୍ଦ୍ର ସରକାରଙ୍କୁ ଶ୍ରେୟ ଦେବା ପାଇଁ କଂଗ୍ରେସରେ ଗୋଡ଼ ଟଣାଟଣି

ନୂଆଦିଲ୍ଲୀ,୨୧।୧୦:୧୦୦ କୋଟି କରୋନା ଟିକା ଦେବାରେ ଭାରତ ଏକ ବଡ଼ ଉପଲବ୍ଧି ହାସଲ କରିଛି। ଏଥିପାଇଁ ସରକାରଙ୍କୁ ବିଭିନ୍ନ ଆଡେ ପ୍ରଶଂସା କରାଯାଉଛି। କିନ୍ତୁ ଏହି ପ୍ରସଙ୍ଗରେ କଂଗ୍ରେସରେ ମତଭେଦ ରହିଛି। କଂଗ୍ରେସ ଏମ୍‌ପି ଶଶି ଥରୁର ସରକାରଙ୍କୁ ଶ୍ରେୟ ଦେଇଥିବାବେଳେ ଦଳର ମୁଖପାତ୍ର ପୱନ ଖେରାା ଏହାକୁ ସରକାରଙ୍କ ଅବ୍ୟବସ୍ଥା ପୀଡିତଙ୍କ ପ୍ରତି ଅପମାନ ବୋଲି କହିଛନ୍ତି।
ଗୁରୁବାର ୧୦୦ କୋଟି କରୋନା ଟିକାକରଣ ଲକ୍ଷ୍ୟ ହାସଲ କରି ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶଶି ଥରୁର ଟୁଇଟ୍‌ କରିଛନ୍ତି – ଏହା ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ସରକାରଙ୍କୁ ଶ୍ରେୟ ଦିଆଯିବା ଉଚିତ୍‌। ଦ୍ୱିତୀୟ କୋଭିଡ ଲହରର ପରିଚାଳନା ଏବଂ ଟିକାକରଣ ବିଫଳ ହେବା ପରେ ସରକାର ଏବେ ଆଂଶିକ ସଂଶୋଧନ କରିଛନ୍ତି। ଅତୀତର ବିଫଳତା ପାଇଁ ସରକାର ତଥାପି ଉତ୍ତରଦାୟୀ ବୋଲି ସେ କହିଛନ୍ତି।
କଂଗ୍ରେସ ମୁଖପାତ୍ର ଖେରା ଥରୁରଙ୍କ ଟୁଇଟକୁ ଟ୍ୟାଗ କରି କହିଛନ୍ତି, ସରକାରଙ୍କୁ ଶ୍ରେୟ ପ୍ରଦାନ କରିବା ଲକ୍ଷ ଲକ୍ଷ ପରିବାରଙ୍କ ପାଇଁ ଅପମାନ, ଯେଉଁମାନେ ବ୍ୟାପକ କୋଭିଡ ପରିଚାଳନାରେ ମଧ୍ୟ ପ୍ରାଣ ହରାଇଛନ୍ତି। ଶ୍ରେୟ ମାଗିବା ପୂର୍ବରୁ, ପ୍ରଧାନମନ୍ତ୍ରୀ ସେହି ପରିବାରଗୁଡିକ ପାଇଁ କ୍ଷମା ମାଗିବା ଉଚିତ୍‌। ଏହାର ଶ୍ରେୟ ବୈଜ୍ଞାନିକ ଏବଂ ଡାକ୍ତରୀ ଟିମ୍‌କୁ ଯାଇଥାଏ।

Share