ଅସୁରକ୍ଷିତ ଶାରୀଶୂଆ ଜଳପ୍ରପାତ: କଟକଣା ନାହିଁ, ବଳି ପଡୁଛି ଜୀବନ

ଖଇରା, ୧୨।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡରେ ଥିବା ଜଳପ୍ରପାତ ଏବେ ଅସୁରକ୍ଷିତ ଅବସ୍ଥାରେ ଅଛି। ଦୈନିକ ଆସୁଥିବା ଶହ ଶହ ସଂଖ୍ୟାର ଯୁବଗୋଷ୍ଠୀଙ୍କ ଉପରେ ପୋଲିସର କଟକଣା ଅଭାବରୁ ଜୀବନହାନି ହେଉଥିବା ଅଭିଯୋଗ ହୋଇଛି। ପୁନଶ୍ଚ ରବିବାର ଖଇରା ବ୍ଲକ ଅନ୍ତରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଶୁକ୍ଳ ନାମ୍ନୀ ଜଣେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟଣା ଖଇରା ଜନସାଧାରଣଙ୍କ ଆଖିରୁ ନିଦ ହଜାଇ ଦେଇଛି। ପୂର୍ଣ୍ଣଚନ୍ଦ୍ର ଅନ୍ୟ ଭଉଣୀଭାଇଙ୍କ ସହ ଜଳପ୍ରପାତ ଦେଖିବାକୁ ଗୋଳିହା ଗ୍ରାମର ନିଜ ପିଉସା ସଞ୍ଜୟ ପାଢୀଙ୍କ ସହ ଶାରୀଶୁଆ ପାହାଡକୁ ଯାଇଥିଲେ। ସେଠାରୁ ଓହ୍ଳାଉଥିବା ବେଳେ ଏକ ପଥରଖଣ୍ଡ ତାଙ୍କ ଉପରେ ଖସିପଡିବାରୁ ପ୍ରାଣ ହରାଇବା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ତୁରନ୍ତ ଉକ୍ତ ପ୍ରକଳ୍ପର ଉନ୍ନତୀକରଣ ନ ହେବା ପର୍ଯ୍ୟନ୍ତ ଜନସାଧାରଣଙ୍କ ଯାତାୟାତ ବନ୍ଦ ରଖିବାକୁ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଦାବି ହୋଇଛି।
ଉକ୍ତ ଜଳପ୍ରପାତର ଉନ୍ନତୀକରଣ ଲାଗି ପର୍ଯ୍ୟଟନ ବିଭାଗ ପକ୍ଷରୁ ନକ୍ସା ପ୍ରସ୍ତୁତି କରାଯିବା ସହ କିଛି ମାସ ତଳେ ଇଞ୍ଜିନୟରିଂ ଟିମ୍‌ ପକ୍ଷରୁ ସର୍ଭେ କରାଯାଇଥିଲା। ଅସୁରକ୍ଷିତ ଥିବା ଏହି ପ୍ରକଳ୍ପ କିଭଳି ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ କରାଯାଇପାରିବ ସେ ସମ୍ପର୍କରେ ଏହି ଟିମ୍‌ ବୁଲି ଦେଖିଥିଲେ। ହେଲେ ଏଠାରେ ଏକ ପ୍ରପାତ ଥିବା ନେଇ ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବା ମାତ୍ରେ ଗତ ୩ମାସ ହେବ ଦୂରଦୂରାନ୍ତରୁ ସଂଖ୍ୟାଧିକ ଯୁବଗୋଷ୍ଠୀ ବିଶୃଙ୍ଖଳିତ ଭାବେ ପ୍ରପାତରେ ଗାଧୋଇବା ସହ ପାହାଡ ଉପରେ ବୁଲାବୁଲି କରୁଥିବା ଅଭିଯୋଗ ହୋଇଥିଲା। ଏଭଳି ଅସୁରକ୍ଷିତ ଯାତ୍ରା ମଧ୍ୟରେ ଛୋଟମୋଟ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଆସୁଥିଲା। ଆସନ୍ନ ବିପଦ ଏଡାଇବା ପାଇଁ ପର୍ଯ୍ୟଟକଙ୍କ ଏଭଳି ଗହଳି ରୋକିବାକୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ସୋସିଆଲ ମିଡିଆରେ ବହୁ ଭିଡିଓ ଭାଇରାଲ ହୋଇଥିଲା। ପ୍ରଶାସନର ଅପାରଗତ କାରଣରୁ ଏଭଳି ଜୀବନହାନି ହେଉଥିବା ପ୍ରାଣ ହରାଇଥିବା ପୂର୍ଣ୍ଣଚନ୍ଦ୍ରଙ୍କ ସମ୍ପର୍କୀୟଙ୍କ ତରଫରୁ ଅଭିଯୋଗ କରାଯାଇଛି।