‘ବିକଶିତ ହେବ ଶାରୀଶୁଆ ଜଳପ୍ରପାତ’

ଖଇରା, ୨୩।୧୨(ଡି.ଏନ.ଏ.): ଆଉ ଦିନକ ପରେ କୁପାରୀ ପର୍ଯ୍ୟଟନ କ୍ଷେତ୍ରର ୨ ପ୍ରମୁଖ ପ୍ରକଳ୍ପ ଶାରୀଶୁଆ ପାହାଡ ଜଳପ୍ରପାତ ଓ କୁପାରୀ ନାଟ୍ୟମଣ୍ଡପକୁ ଅନ୍ୟ କିଛି ସହଯୋଗୀ ମନ୍ତ୍ରୀଙ୍କ ସହ ଶିଳାନ୍ୟାସ କରିବେ ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ବାଲେଶ୍ୱର ଜିଲା ଖଇରା ବ୍ଲକ କୁପାରୀ ପର୍ଯ୍ୟଟନ କ୍ଷେତ୍ରର ସୌନ୍ଦର୍ଯ୍ୟ ୨ଗୁଣ ବୃଦ୍ଧି ପାଇବା ସହ ପର୍ଯ୍ୟଟକମାନେ ଏହାର ଭରପୁର ମଜା ନେବେ। କେବଳ ବର୍ଷାଦିନିଆ ସୃଷ୍ଟି ହେଉଥିବା ଶାରିଶୁଆ ପାହାଡ଼ର ଏହି ଜଳପ୍ରପାତ ସବୁଦିନିଆ ପ୍ରପାତରେ ରୂପାନ୍ତରିତ ପାଇଁ ସ୍ଥପତିମାନଙ୍କ ଦ୍ୱାରା ନକ୍ସା ପ୍ରସ୍ତୁତ କରାଯାଇଛି। ଆନୁମାନିକ ୨କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏକି ପ୍ରକଳ୍ପକୁ ସୌନ୍ଦର୍ଯ୍ୟକରଣ କରାଯିବା ସହ ପର୍ଯ୍ୟଟକଙ୍କ ପାଇଁ ଗାଧୁଆ ଘର, ଭୁଦୃଶ୍ୟ, ବଣଭୋଜି ପାଇଁ ସ୍ବତନ୍ତ୍ର ସ୍ଥାନ ନିର୍ମାଣ, ଗାଡି ପାର୍କିଂ, ଫଟୋତ୍ତୋଳନ ପଏଣ୍ଟ ସମେତ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।
ଉଲ୍ଲେଖଯୋଗ୍ୟ, ଉକ୍ତ ପ୍ରାକୃତିକ ଜଳପ୍ରପାତ ବର୍ଷାଋତୁରେ କିଛି ମାସ ପ୍ରବାହିତ ହେବା ପରେ ଧାର ନିମ୍ନଭାଗକୁ ଚାଲିଯାଉଥିଲା।
ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଦାୟିତ୍ୱ ଗ୍ରହଣ କରିବା ପରେ ଆର୍କିଟେକ୍ସ ଟିମ୍‌ ସହାୟତାରେ ଏହା କିଭଳି ସବୁଦିନିଆ ପ୍ରପାତକୁ ରୂପାନ୍ତରିତ ହୋଇପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦେଇଥିଲେ। ଏଭଳି ପ୍ରକଳ୍ପକୁ ସ୍ଥାନୀୟ ଖଣି ମାଫିଆମାନେ ବିରୋଧ କରିବା ପରେ ଶିଳାନ୍ୟାସରେ ବିଳମ୍ବ ହୋଇଥିଲା। ଏହା କୁପାରୀ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ଆସୁଥିବାରୁ ଏହାକୁ ବିକଶିତ କରିବାକୁ ସ୍ଥାନୀୟ ଜନସାଧାରଣ, ପାହାଡ ସଂଲଗ୍ନ ଗ୍ରାମଗୁଡିକର ଅଧିବାସୀମାନେ ଦାବି କରିଥିଲେ। ୨ବର୍ଷ ପରେ ଦାବି ପୂରଣ ହେଉଥିବାରୁ କୁପାରୀ ତଥା ଆଖପାଖ ଗ୍ରାମର ପ୍ରତ୍ୟେକ ପରିବାର ଖୁସି ବ୍ୟକ୍ତ କରିଛନ୍ତି।