Categories: ଜାତୀୟ

ବିହାର ନିର୍ବାଚନ ପାଇଁ ଆସନ ଭାଗବଣ୍ଟା: ଜାଣନ୍ତୁ ଜେଡିୟୁ, ଭାଜପା କେତେ ଆସନରେ ଲଢ଼ିବେ

ପାଟନା, ୬।୧୦: ବିହାର ବିଧାନସଭା ନିର୍ବାଚନ ଲାଗି ମହାମେଣ୍ଟ ଗଠନ ହେବାପରେ ଏବେ ଏନ୍‌ଡିଏ ପକ୍ଷରୁ ମଙ୍ଗଳବାର ଆସନ ଭାଗବଣ୍ଟା ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ ଭାଗବଣ୍ଟା ଘୋଷଣା କରିବା ଅବସରରେ କହିଛନ୍ତି, ମୋଟ୍‌ ୨୪୩ ଆସନରୁ ଜେଡିୟୁ ୧୨୨ ଆସନରେ ଲଢ଼ିବ। ଜେଡିୟୁ ଏହାର ଭାଗ ୧୨୨ ଆସନରୁ ୭ଟି ଜିତନ୍‌ ରାମ ମାଞ୍ଜିଙ୍କ ଦଳ ‘ହିନ୍ଦୁସ୍ତାନୀ ଆଓ୍ବାମୀ ମୋର୍ଚ୍ଚା’କୁ ଦେଇଛି। ସେହିଭଳି ଭାଜପା ୧୨୧ ଆସନରୁ ଲଢ଼ିବ। ସେଥିମଧ୍ୟରୁ ୫ ସିଟ୍‌ ମୁକେଶ ସାହାଣୀଙ୍କ ଦଳ ‘ବିକାଶଶୀଳ ଇନ୍‌ସାନ ପାର୍ଟି’ (ଭିଆଇପି)କୁ ଦେବ ବୋଲି ନୀତୀଶ ଘୋଷଣା କରିଛନ୍ତି।
ମହାମେଣ୍ଟର ଘୋଷଣା କରି ନୀତୀଶ କୁମାର ତାଙ୍କ ସରକାରଙ୍କ କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇଛନ୍ତି। ଆମେ ବିହାରର ବିକାଶ ପାଇଁ କାର୍ଯ୍ୟ କରୁଛୁ ଏବଂ ଏହା ଜାରି ରଖିବୁ। ପ୍ରତି ଅଞ୍ଚଳରେ ରାସ୍ତା ଓ ବିଜୁଳିର ଉନ୍ନତି ଘଟିଛି। ଏଠାରେ ଉଲ୍ଲେଖଯୋଗ୍ୟ, ବିହାରରେ ମୋଟ୍‌ ୨୪୩ ସିଟ୍‌ ଲାଗି ୩ଟି ପର୍ଯ୍ୟାୟରେ ନିର୍ବାଚନ ଅକ୍ଟୋବର ୨୮ରୁ ନଭେମ୍ବର ୭ ମଧ୍ୟରେ ଅନୁଷ୍ଠିତ ହେବ।

Share