ଅଭିଷେକଙ୍କ ସହ ଫଟୋ ଶେୟାର କରି ଏମିତି ଲେଖିଲେ ଭଉଣୀ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ନିକଟରେ ସେମାନଙ୍କ ବଙ୍ଗଳାରେ ଏକ ଗ୍ରାଣ୍ଡ ଦିଓ୍ବାଲୀ ପାର୍ଟି କରିଥିବା ଦେଖିବାକୁ ମିଳିଥିଲା। ଏହି ପାର୍ଟିରେ ବଲିଉଡ୍‌ର ଅଧିକାଂଶ ସେଲିବ୍ରିଟି ସାମିଲ ହୋଇଥିଲେ। ଏବେ ଏହି ବଙ୍ଗଳାରୁ ପୁଣି ଏକ ଫଟୋ ଭାଇରାଲ ହେଉଛି। ‘ଭାଇ ଦୁଜ୍‌’ ବା ଭାତୃ ଦ୍ୱିତୀୟା ଉପଲକ୍ଷେ ବଚ୍ଚନ ପରିବାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଅଭିଷେକ ଏବଂ ଭଉଣୀ ଶ୍ୱେତାଙ୍କୁ ଦେଖିବାକୁ ମିଳିଛି।

ଶ୍ୱେତା ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକାଠି ଅନେକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଭାଇ ଅଭିଷେକଙ୍କ ସହ ସୋଫାରେ ବସିଥିବାର ନଜର ଆସିଛନ୍ତି। ଉଭୟଙ୍କ ଲୁକ୍‌ ଏହି ଫଟୋରେ ଖୁବ୍‌ ସୁନ୍ଦର ଦେଖାଯାଉଛି। ଗୋଟିଏ ଫଟୋରେ ଅଭିଷେକ ଶ୍ୱେତାଙ୍କୁ ଚାହିଁଥିବା ବେଳେ ଆଉ ଗୋଟିଏ ଫଟୋରେ ଉଭୟେ ଉଭୟଙ୍କୁ ଚାହିଁ ଖୁବ୍‌ ହସୁଛନ୍ତି।

ଫଟୋରେ ଶ୍ୱେତା ଏବଂ ଅଭିଷେକଙ୍କୁ ପାରମ୍ପରିକ ରୂପରେ ଦେଖିବାକୁ ମିଳିଛି। ଏହି ଭଉଣୀ-ଭାଇ ଯୋଡ଼ି ଖୁବ୍‌ ସୁନ୍ଦର। ଶ୍ୱେତା ଏକ ହଳଦିଆ ସାଲଓ୍ବାର କୁର୍ତ୍ତା ପିନ୍ଧିଥିବାବେଳେ ଅଭିଷେକଙ୍କୁ ନୀଳ ରଙ୍ଗର କୁର୍ତ୍ତାରେ ଦେଖିବାକୁ ମିଳିଛି। ଫଟୋ ଶେୟାର କରି ଶ୍ୱେତା ଲେଖିଛନ୍ତି, କ’ଣ କହିବି ଅଭିଷେକ ହେଉଛନ୍ତି ସୂର୍ଯ୍ୟକିରଣ ଏବଂ ଇନ୍ଦ୍ରଧନୁ ପରି। ‘ଶୁଭ ଭାତ୍ରୁ ଦ୍ୱିତୀୟା’ ବୋଲି ଲେଖିଛନ୍ତି।

ଶ୍ୱେତା କହିଛନ୍ତି, ଯେତେବେଳେ ଅଭିଷେକଙ୍କୁ ଟ୍ରୋଲ୍‌ କରାଯାଏ କିମ୍ବା ତାଙ୍କ ବିଷୟରେ କିଛି ଖରାପ କୁହାଯାଏ, ସେତେବେଳେ ତାଙ୍କ ରକ୍ତ ଫୁଟିଉଠେ। ଶ୍ୱେତା ଏହା ମଧ୍ୟ କହିଛନ୍ତି, ଅଭିଷେକଙ୍କୁ ଅମିତାଭ ବଚ୍ଚନଙ୍କ ସହ ତୁଳନା କରିବା ଭୁଲ୍‌ ଅଟେ।

Share