ଶ୍ରେୟରେ ସହଭାଗିତା

ଶୁଭନାରାୟଣ ଶତପଥୀ

 

ସବୁଠାରେ ପ୍ରତିଯୋଗିତାର ବଜାର। ବର୍ତ୍ତମାନ, ଭବିଷ୍ୟତ, ଚରିତ୍ର ଗଠନ, ଦକ୍ଷତା ସବୁ ପ୍ରତିଯୋଗିତା ବଜାରର ଗୋଟିଏ ଗୋଟିଏ ପଣ୍ୟରେ ପରିଣତ। ସେହିପରି ଉତ୍ତମ ଚରିତ୍ର ବ୍ୟକ୍ତିର ଚାହିଦା କେଉଁଠି ଅଧିକ, କେଉଁଠି କମ୍‌ ତାହା ମଧ୍ୟ ବଜାରର ପରିସ୍ଥିତି, ସ୍ବଚ୍ଛତା ଉପରେ ନିର୍ଭର କଲାଣି। ଯେତେବେଳେ ପିଲାମାନଙ୍କ ଭବିଷ୍ୟତ ଗଢିବା ବା କ୍ୟାରିୟର ଗଠନ, ପାଠପଢା ବିଷୟ କଥା ଉଠେ, ସେତେବେଳେ କୋଚିଂଠାରୁ କମର୍ସିଆଲ ଶିକ୍ଷାନୁଷ୍ଠାନ ମାତାପିତା, ଅଭିଭାବକଙ୍କୁ ଯୋଗାଯୋଗ କରନ୍ତି। ମୋ ଅନୁଷ୍ଠାନ ଏତିକି ପୁରୁଣା, କ୍ରମାଗତ ଭାବେ ସେଠାରୁ ସଫଳ ଛାତ୍ରୀଛାତ୍ର ଅମୁକ, ଅମୁକ ପ୍ରତିଯୋଗିତାରେ ଟପ୍ପର ବା ବେଷ୍ଟ ଦଶଜଣଙ୍କ ମଧ୍ୟରେ ରହିଛନ୍ତି ବୋଲି କୁହନ୍ତି। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି, ପ୍ରଶାସନିକ ପରୀକ୍ଷାରେ ସଫଳତା ହେଉ ବା ମାଟ୍ରିକ ପରୀକ୍ଷାରେ କୃତିତ୍ୱ, ଶ୍ରେୟରେ ସହଭାଗିତା ପାଇଁ ହେଉଛି ପ୍ରତିଯୋଗିତା, ପ୍ରତିଯୋଗୀଙ୍କ ବ୍ୟତୀତ ଅନୁଷ୍ଠାନ ଅନୁଷ୍ଠାନ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ। ଛାତ୍ରୀ ବା ଛାତ୍ର କୌଣସି ବିଭାଗରେ ସଫଳତା ପାଇବା ମାତ୍ରେ ଏହି ଦାବିଗୁଡିକ ଲୋକଲୋଚନକୁ ଆସିଥାଏ। ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ଫଟୋ ଦେଇ ଉତ୍ତର ଛାତ୍ରୀଛାତ୍ରଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରନ୍ତି। ଉଦାହରଣସ୍ବରୂପ, ସେହି ଛାତ୍ରୀ ବା ଛାତ୍ର ଜଣକ ଆମ ଅନୁଷ୍ଠାନରେ ପାଠ ପଢିଛନ୍ତି। ମୋଠାରୁ ଅନେକ ସହଯୋଗ, ସାହାଯ୍ୟ ନେଇ ଏତେବାଟ ଆସିଛନ୍ତି ଇତ୍ୟାଦି। ଏମିତି ବି ହୁଏ ଏକାଧିକ ଅନୁଷ୍ଠାନ, ଗୋଟିଏ ବ୍ୟକ୍ତିଙ୍କ ସଫଳତା ବା କୃତିତ୍ୱକୁ ନେଇ ନିଜ ନିଜର ସଫଳତାର ବିଜ୍ଞାପନ ପ୍ରକାଶ କରନ୍ତି। ତେବେ ତାହା ପରବର୍ତ୍ତୀ ସମୟରେ ଅଭିଭାବକ ଓ ପିଲାମାନଙ୍କ ପାଇଁ ଗୋଲକଧନ୍ଦା ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି। ସେହିପରି ସଂଖ୍ୟାଧିକ ସଂସ୍ଥାଗୁଡିକ ନିଜ ପରିସରରେ ଆଡ୍‌ମିଶନ କରାଇବାର ପ୍ରୟାସସ୍ବରୂପ ଭିନ୍ନ ଭିନ୍ନ ଉପାୟରେ ବାରମ୍ବାର କ୍ୟାରିୟର ପରାମର୍ଶ ଅଭିଭାବକଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରେ। ଏପରି ଗୋଲକଧନ୍ଦାରେ ପଡି ଶେଷରେ ଅଭିଭାବକ ବା ତାଙ୍କ ପିଲାମାନେ ଯେଉଁ ନିଷ୍ପତ୍ତି ନିଅନ୍ତି, ଭବିଷ୍ୟତର ପ୍ରତିକୂଳ ସ୍ଥିତି ସବୁ ସମ୍ନାକୁ ଆସିଲାବେଳକୁୁ ପଶ୍ଚାତ୍ତାପ କରନ୍ତି।
ଗୋଟିଏ ଛାତ୍ରୀ ବା ଛାତ୍ରର ସଫଳ ବିଜ୍ଞାପନ ଅନେକ ଅନୁଷ୍ଠାନରେ ପ୍ରକାଶିତ ହେବା ଫଳରେ ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ମନରେ ସାଧାରଣତଃ ଦ୍ୱନ୍ଦ୍ୱ ଉପୁଜେ। ବାସ୍ତବରେ ସଫଳ ଓ କୃତୀ ଛାତ୍ରୀଛାତ୍ର ଗଢିବାରେ ଯେଉଁ ଅନୁଷ୍ଠାନ ସମସ୍ତ ସହଯୋଗ ଯୋଗାଇଦେଇଛନ୍ତି ଓ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି, ସେହି ଅନୁଷ୍ଠାନର ସମ୍ମାନ ଗୈାଣ ବିବେଚିତ ହୁଏ। ଏଣୁ ଅସଲ ଶିକ୍ଷାନୁଷ୍ଠାନ, ଯାହାର ସଫଳ ବ୍ୟକ୍ତିତ୍ୱ ଗଠନରେ ଯୋଗଦାନ ଥାଏ, ସେହି ଅନୁଷ୍ଠାନର ମହତ୍ତ୍ୱ ଓ ଗୁରୁମାନଙ୍କ ସମ୍ମାନରେ ଊଣା ହୁଏ। ଏଥିପାଇଁ ସରକାରୀ ଓ ସ୍ବୀକୃତିପ୍ରାପ୍ତ ବେସରକାରୀ ସଂସ୍ଥାଗୁଡ଼ିକର ନିରୀକ୍ଷଣ, ଅଙ୍କୁଶ ତଥା ତପତ୍ରତା ରହିବା ଜରୁରୀ ମନେହୁଏ। ଶିକ୍ଷା ଏକ ସେବା। ଧନ୍ଦାମୂଳକଠାରୁ ବୃତ୍ତିଗତ ପର୍ଯ୍ୟନ୍ତ, କୃଷକଠାରୁ ଡାକ୍ତର ପର୍ଯ୍ୟନ୍ତ ବ୍ୟକ୍ତିତ୍ୱ ସୃଷ୍ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନକୁ ସ୍ବୀକୃତିପ୍ରାପ୍ତ ତୃତୀୟପକ୍ଷଙ୍କ ସମ୍ବର୍ଦ୍ଧନା ସ୍ପଷ୍ଟ କରିବ କେଉଁ ଛାତ୍ରୀ ବା ଛାତ୍ର କେଉଁ ଶିକ୍ଷାନୁଷ୍ଠାନରେ ସମ୍ପୂର୍ଣ୍ଣ ଶିକ୍ଷା ଗ୍ରହଣ କରିଛନ୍ତି। ଫଳରେ ସଫଳ ଛାତ୍ରୀ ବା ଛାତ୍ରଙ୍କୁ ନେଇ ଅନେକ ଶିକ୍ଷାନୁଷ୍ଠାନଗୁଡିକର ବିଜ୍ଞାପନରେ ରହିଥିବା ଦ୍ୱନ୍ଦ୍ୱ ଆଉ ରହିବ ନାହିଁ। ବିଶେଷକରି ଏହା ମାଟ୍ରିକ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ବୋର୍ଡ ପରୀକ୍ଷାରେ ସଫଳତା ସମେତ ବ୍ୟାଙ୍କିଙ୍ଗ୍‌, ଇଞ୍ଜିନିୟରିଂ, ଡାକ୍ତର, ପ୍ରଶାସନିକ ସେବା କ୍ଷେତ୍ରରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସର୍ବୋତ୍ତମ ଦଶଟି ସ୍ଥାନ ବା ଟପ୍ପର ହୋଇଥିବା କିମ୍ବା କୃତିତ୍ୱ ଅର୍ଜନ କରିଥିବା ଛାତ୍ର ବା ଛାତ୍ରୀଙ୍କୁ ନେଇ କରାଯାଇପାରେ।
ଗୋଟିଏ ଛାତ୍ରୀ ବା ଛାତ୍ରଙ୍କୁ ନେଇ ପ୍ରକାଶନ କରୁଥିବା ସଫଳ ବିଜ୍ଞାପନଗୁଡିକ ଉକ୍ତ ଅନୁଷ୍ଠାନଗୁଡିକର ଛଦ୍ମବେଶୀ ତଥା ଅନ୍ତର୍ନିହିତ ସ୍ବାର୍ଥଭାବନାକୁ ପରିପ୍ରକାଶ କରୁନାହିଁ କି? ତେବେ ଏହି ବିଜ୍ଞାପନକୁ ନେଇ କୌଣସି ଛାତ୍ରୀଛାତ୍ର ଆଗାମୀ ଦିନରେ ସେମାନଙ୍କ ଲକ୍ଷ୍ୟକୁ ଚରିତାର୍ଥ କରିବାରେ ଅସଫଳ ହୁଅନ୍ତୁ, ଠକାମିର ଶିକାର ହୁଅନ୍ତୁ, ଗୋଲକଧନ୍ଦାରେ ଫସି ନ ଯାଆନ୍ତୁ ସେଥିପାଇଁ ନୀତି ନିର୍ଦ୍ଧାରଣ ଜରୁରୀ। ଏହାଦ୍ୱାରା ସ୍ବଚ୍ଛ, ସରଳ, ସଫଳ କୃତିତ୍ୱକୁ ଦର୍ଶାଇବା କେବଳ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ହିଁ ଅଧିକାର ହେବ। ଯେଉଁଠି ସମ୍ପୃକ୍ତ ଛାତ୍ରୀ ବା ଛାତ୍ରଙ୍କର ଶିକ୍ଷାଗ୍ରହଣର ନଥିପତ୍ର ଥିବ, ପ୍ରମାଣ ଥିବ ଓ ସେଠାରେ ଅନୁଷ୍ଠିତ ଆଭ୍ୟନ୍ତରୀଣ ପରୀକ୍ଷାଗୁଡିକର ସଫଳ ପ୍ରଗତି କାର୍ଡ ଥିବ। ସଫଳ ଶିକ୍ଷାନୁଷ୍ଠାନ ସିଏ, ଯିଏ ସେହି ସଫଳ ବ୍ୟକ୍ତିତ୍ୱଙ୍କୁ ସମ୍ପୂର୍ଣ୍ଣ କୋର୍ସ ବା ଶିକ୍ଷା ପ୍ରଦାନ କରିଥିବେ। ଏ କ୍ଷେତ୍ରରେ ଉପଯୁକ୍ତ ଶିକ୍ଷାନୁଷ୍ଠାନ ଓ ଗୁରୁମାନଙ୍କ ସମ୍ମାନ ସମାଜ ପାଇଁ ଏକ ଆହ୍ବାନ। ଏହା ଦୂର ହେଲେ, ଅନ୍ୟର ସଫଳତାକୁ ନିଜର ସଫଳତା କହି ସ୍ବାର୍ଥସାଧନ ପାଇଁ କେହି ଆଗକୁ ଆସିବେ ନାହିଁ। ଇଣ୍ଡିଆ ଟୁଡେର ଏକ ସଦ୍ୟତମ ରିପୋର୍ଟ ଅନୁସାରେ ଭାରତରେ ନାମକରା ୨୦ଟି କୋଚିଂ ଶିକ୍ଷାନୁଷ୍ଠାନ ଏବେ ଯାଞ୍ଚ ପ୍ରକ୍ର୍ରିୟାରେ ଅଛି। ଏମିତିକି କେନ୍ଦ୍ରୀୟ ଖାଉଟି ସୁରକ୍ଷା ଅଥରିଟି ଦୁଇଟି କୋଚିଂ ସଂସ୍ଥା ଉପରେ ଏକ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛିି। ତା’ଛଡା ଏହି ଅଥରିଟି ପଥଭ୍ରଷ୍ଟ ବିଜ୍ଞାପନ ଓ ଅନୈତିକ ବ୍ୟବସାୟ ଅଭ୍ୟାସ ବିପକ୍ଷରେ ଏକ ନିର୍ଦ୍ଦେଶନାମା ଜାରି କରିଛି। ଏପରି ସଂସ୍ଥାଗୁଡିକର ଅଯଥା ଦାବି, ମିଥ୍ୟା ସେବାର ଉପସ୍ଥାପନା ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ପ୍ରଭାବିତ କରେ ଓ ଖାଉଟିଙ୍କୁ ପଥଭ୍ରଷ୍ଟ କରାଏ ବୋଲି ଖାଉଟି ବ୍ୟାପାର ମନ୍ତ୍ରଣାଳୟ କହିଛି।
ସଫଳ ବ୍ୟକ୍ତିତ୍ୱଙ୍କୁ ଶୁଭେଚ୍ଛା ଜଣାଇବା ଉଦ୍ଦେଶ୍ୟରେ ଅନେକ ବ୍ୟକ୍ତି ତାଙ୍କର ଅବଦାନ ବଖାଣିଥାନ୍ତି। ଯେମିତିକି ତା’ର ସଫଳତା ପାଇଁ ମୋର ସୁପାରିସ ଥିଲା, ମୁଁ ତା’ ପାଇଁ କେତେ ପରିଶ୍ରମ କରିଛି, ସମୟ ଦେଇଛି, କାହାକାହାକୁ ଧରିଛି ତାହା ମୁଁ ନିଜେ ଜାଣିଛି ଇତ୍ୟାଦି। ଅକାରଣରେ ସମୟ ନଷ୍ଟ କରି ଉଦ୍ଦେଶ୍ୟମୂଳକ ଭାବରେ ସୁପାରିସ କରିବା କିମ୍ବା ଧରାଧରି କରି ସଫଳତା ଅର୍ଜନ ପ୍ରକ୍ରିୟାର ବାଟ ବନ୍ଦଥିବା ଜାଣି ମଧ୍ୟ ଏମିତି କହିଥାନ୍ତି କିଛି ଲୋକ ବା ଅନୁଷ୍ଠାନ। ଏକଥା କହି ସଫଳ ବ୍ୟକ୍ତିଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁନାହାନ୍ତି ତ? ଯାହା ସଫଳ ବ୍ୟକ୍ତିଙ୍କ ମନରେ ଉକ୍ତ ଅନୁଷ୍ଠାନ, ବ୍ୟକ୍ତିବିଶେଷଙ୍କ ପ୍ରତି ନକାରାମତ୍କ ଭାବନା ଜାଗ୍ରତ ହୁଏ। ଏଣୁ ନିଜ ତୁଣ୍ଡରେ ଏହି ସଫଳତାର ଶ୍ରେୟରେ ମୋର ସହଭାଗିତା ଅଛି ବୋଲି ନ କହି ସମ୍ପୃକ୍ତ ଛାତ୍ରୀଛାତ୍ର ତାଙ୍କ ସଫଳତାରେ କାହାକୁ କେତେ ମାତ୍ରାରେ ଶ୍ରେୟ ଦେଉଛନ୍ତି ତାହା ହିଁ ଅସଲ ସ୍ବୀକୃତି ଓ ବିଶାଳ ବିଜ୍ଞାପନ, ବାକିସବୁ ବ୍ୟର୍ଥ ବଚନ ଓ ବିଜ୍ଞାପନ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ: ୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri