Categories: ଖେଳ

ବୁମ୍‌ରା-ହର୍ଷଲଙ୍କୁ ପଛରେ ପକାଇଲେ ‘ଲର୍ଡ ଶାର୍ଦ୍ଦୁଳ’; ହେଲେ ୟୁଏଇ କିଙ୍ଗ୍‌

ଦୁବାଇ,୧୬।୧୦: ଚେନ୍ନାଇ ସୁପର୍‌ କିଙ୍ଗ୍ସ(ସିଏସ୍‌କେ) ଏବଂ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ମଧ୍ୟରେ ଶୁକ୍ରବାର ଖେଳାଯାଇଥିଲା ଆଇପିଏଲ୍‌ ଫାଇନାଲ ମୁକାବିଲା। ଏଥିରେ ବାଜିମାତ କରିଥିଲା ଚେନ୍ନାଇ। ଦଳ କୋଲକାତାକୁ ୨୭ ରନ୍‌ରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଆଇପିଏଲ୍‌ ଚାମ୍ପିୟନ ହେବାର ଗୌରବ ହାସଲ କରିଥିଲା। ତେବେ ଚେନ୍ନାଇର ଏହି ବିଜୟରେ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ପ୍ରମୁଖ ଭୂମିକା ତୁଲାଇଥିଲେ। ସେ ୪ ଓଭରରେ ୩୮ ରନ୍‌ ଦେଇ ୩ ଉଇକେଟ ନେଇ ବଡ ଉପଲବ୍ଧି ହାସଲ କରିଛନ୍ତି। ସେ ୟୁଏଇରେ ଖେଳାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ରେ ସବୁଠାରୁ ସଫଳ ବୋଲର୍‌ ପାଲଟିଛନ୍ତି। ଏହି ମାମଲାରେ ସେ ଜସପ୍ରିତ ବୁମ୍‌ରା ଏବଂ ହର୍ଷଲ ପଟେଲଙ୍କୁ ମଧ୍ୟ ପଛରେ ପକାଇଛନ୍ତି।

ବିଗତ କିଛି ସମୟ ଧରି ମଇଦାନରେ ଶାର୍ଦ୍ଦୁଳଙ୍କୁ ନେଇ ଚର୍ଚ୍ଚା ହୋଇଆସୁଛି। ସେ ପ୍ରଥମେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଏବେ ସେ ଆଇପିଏଲ୍‌ର ଦ୍ୱିତୀୟ ପର୍ଯ୍ୟାୟର କିଙ୍ଗ ପାଲଟିଛନ୍ତି। ସେ ମୋଟ ୯ ମ୍ୟାଚ୍‌ରେ ୧୬ ଉଇକେଟ ନେଇଥିଲେ। ଅପରପକ୍ଷେ ସିଜନ୍‌ର ସଫଳ ବୋଲର ହର୍ଷଲ ପଟେଲ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟର ୭ ମ୍ୟାଚ୍‌ ଖେଳି ୧୫ ଉଇକେଟ ନେଇଛନ୍ତି।

ଆଇପିଏଲ୍‌ ୨୦୨୧ରେ ଠାକୁର ୧୬ ମ୍ୟାଚ୍‌ ଖେଳି ୨୧ ଉଇକେଟ ନେଇଛନ୍ତି। ସେ ଭାରତରେ ଖେଳାଯାଇଥିବା ପ୍ରଥମ ପର୍ଯ୍ୟାୟର ୭ ମ୍ୟାଚ୍‌ରେ ୫ ଉଇକେଟ ନେଇଥିଲେ। ହେଲେ ତାଙ୍କୁ ବ୍ୟାଟିଂର ସେତେଟା ସୁଯୋଗ ମିଳିପାରିନାହିଁ। ତେବେ ମୋଟ ଉପରେ ଦେଖିଲେ ସେ ଏଯାବତ ୬୧ ମ୍ୟାଚ୍‌ ଖେଳିସାରିଛନ୍ତି। ସେଥିରେ ସେ ୬୭ ଉଇକେଟ ନେଇଥିବା ବେଳେ ୫୭ ରନ୍‌ କରିଛନ୍ତି।

Share