Categories: ଜାତୀୟ

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଦିଲ୍ଲୀ ପହଞ୍ଚିଲେ ଶରଦ ପାୱାର

ମୁମ୍ବାଇ,୨୬ ।୬: ମହାରାଷ୍ଟ୍ର ରାଜନୀତିରେ ସଙ୍କଟ ଲାଗି ରହିଥିବା ବେଳେ ରବିବାର ଏନସିପି ନେତା ଶରଦ ପାୱାର ଦିଲ୍ଲୀ ପହଞ୍ଚିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ହେଲେ ଶରଦ ପାୱାର କହିଛନ୍ତି ସେ ଦିଲ୍ଲୀରେ କାହାକୁ ସାକ୍ଷାତ୍ କରିବାକୁ ଆସି ନାହାନ୍ତି । ବରଂ ଯଶୱନ୍ତ ସିହ୍ନାଙ୍କ ନୋମିନେଶନ ପାଇଁ ଆସିଛନ୍ତି । ଅନ୍ୟପଟେ ଶିବସେନା ନେତା ତଥା ଏମପି ସଞ୍ଜୟ ରାଉତଙ୍କ ବୟାନକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ପାୱାର । ସୂଚନାଯୋଗ୍ୟ, ଜୁନ ୨୭ ଅର୍ଥାତ୍ ସୋମବାର ରାଷ୍ଟ୍ରପତି ପଦ ପାଇଁ ବିରୋଧି ଦଳ ପ୍ରାର୍ଥି ଯଶୱନ୍ତ ସିହ୍ନା ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଶରଦ ପାୱାର ଦିଲ୍ଲୀ ପହଞ୍ଚିଛନ୍ତି ।
ହେଲେ ଯେତେବେଳେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଦେଖାଦେଇଛି ସେହି ସମୟରେ ପାୱାରଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଅନ୍ୟପଟେ ରବିବାରଠାରୁ ସିନ୍ଧେ ଗ୍ରୁପର ଅପିଲ ପରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି କି ଅସନ୍ତୁଷ୍ଟ ବିଧାୟକଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯିବ । ଶନିବାର ୨୫ ଜୁନରେ ଏକନାଥ ସିନ୍ଧେଙ୍କ ଗ୍ରୁପ କେନ୍ଦ୍ରୀୟ ଗୃହ ସଚିବ ଓ ରାଜ୍ୟପାଳଙ୍କୁ ଚିଠି ଲେଖି ସୁରକ୍ଷା ଯୋଗାଇ ଦେବାକୁ ଅପିଲ କରିଥିଲେ । ସନ୍ଧ୍ୟା ସୁଦ୍ଧା ସମସ୍ତ ବିଧାୟକଙ୍କ ଘର ନିକଟରେ ସିଆରପିଏଫ ଜବାନଙ୍କୁ ମୁତୟନ କରାଯିବ । ଏହି ବିଧାୟକଙ୍କୁ ୱାଇ ପ୍ଲସ କାଟାଗୋରୀର ସୁରକ୍ଷା ଦିଆଯାଇଛି ।

Share