Categories: ଜାତୀୟ

୨୦୨୪ ନିର୍ବାଚନ ପୂର୍ବରୁ ପାଓ୍ବାରଙ୍କ ଗୋଟିଚାଳନା

ମୁମ୍ବାଇ,୮।୧:ଏନସିପି ମୁଖ୍ୟ ଶରଦ ପାୱାର ୨୦୨୪ ନିର୍ବାଚନ ପୂର୍ବରୁ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏନସିପି, ଶିବସେନାର ଉଦ୍ଧବ ଠାକରେଙ୍କ ଦଳ ଏବଂ କଂଗ୍ରେସ ୨୦୨୪ରେ ମହାରାଷ୍ଟ୍ର ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ଏକାଠି ଲଢିବାକୁ ପାଓ୍ବାର ସମର୍ଥନ କରିଛନ୍ତି। ଆମେ ଅନେକ ପ୍ରସଙ୍ଗରେ ଏକାଠି ନିଷ୍ପତ୍ତି ନେଉ, ତେଣୁ ଏଥିରେ କୌଣସି ଅସୁବିଧା ହେବ ନାହିଁ।
ପାୱାର ଦାବି କରିଛନ୍ତି, ଶିବସେନାରେ ବିଭାଜନ ପରେ ମଧ୍ୟ ଅଧିକାଂଶ ଶିବ ସୈନିକ ତୃଣମୂଳ ସ୍ତରରେ କାମ କରୁଛନ୍ତି ଏବଂ ଉଦ୍ଧବ ଠାକରେଙ୍କ ପଛରେ ଠିଆ ହୋଇଛନ୍ତି। ବିଧାୟକ ଏବଂ ଏମ୍‌ପିମାନେ ହୁଏତ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ସହିତ ରହିଥାଇ ପାରନ୍ତି, କିନ୍ତୁ ଯେତେବେଳେ ନିର୍ବାଚନ ଅନୁଷ୍ଠିତ ହେବ, ସେତେବେଳେ ସେମାନେ ମଧ୍ୟ ଜାଣିବେ ଯେ ଲୋକଙ୍କ ମତାମତ କ’ଣ।
ସୂଚନାଯୋଗ୍ୟ,୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଠାକରେ ଭାଜପା ସହ ମେଣ୍ଟ ଭାଙ୍ଗିଥିଲେ ଏବଂ ରାଜ୍ୟରେ ମହା ବିକାଶ ଅଗାଡି (ଏମ୍‌ଭିଏ) ସରକାର ଗଠନ ପାଇଁ ଏନସିପି ଏବଂ କଂଗ୍ରେସ ସହ ମେଣ୍ଟ କରିଥିଲେ। ଗତ ବର୍ଷ ଶିନ୍ଦେଙ୍କ ବିଦ୍ରୋହ ପରେ ଠାକ୍‌ରେ ସରକାରଙ୍କ ପତନ ହୋଇଥିଲା। ମେ ୨୦୨୪ରେ ଲୋକ ସଭା ନିର୍ବାଚନ ହେବ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ ଅକ୍ଟୋବରରେ ହେବ।

Share