Categories: ଖେଳ

ଶାନ୍ତନୁ ମିଶ୍ରଙ୍କ ଅପରାଜିତ ଶତକ

ଭୁବନେଶ୍ୱର,୧୮।୧(ସ୍ପୋଟର୍‌ସ ବ୍ୟୁରୋ): ମିରଟର ଭିକ୍ଟୋରିଆ ପାର୍କରେ ଉତ୍ତରପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ଶତକ ହାସଲ କରିଛନ୍ତି ଓଡ଼ିଶା ଓପନର ଶାନ୍ତନୁ ମିଶ୍ର। ଶାନ୍ତନୁଙ୍କ ଅପରାଜିତ ଶତକ ବଳରେ ଓଡ଼ିଶା ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶା ୫ ଉଇକେଟ ହରାଇ ୨୨୨ ରନ୍‌ ସଂଗ୍ରହ କରିଛି। ଶାନ୍ତନୁ ୧୦୭ ଓ ଅଭିଷେକ ରାଉତ ୪୩ ରନରେ ବ୍ୟାଟିଂ କରୁଛନ୍ତି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଓଡ଼ିଶା ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କୁନାଲ ଯାଦବ ଓ କାର୍ତ୍ତିକେୟ ଜୟସ୍ବାଲ ୨ଟି ଲେଖାଏ ଉଇକେଟ ନେବାରୁ ଓଡ଼ିଶା ମାତ୍ର ୨୦ ରନ୍‌ରେ ଟପ୍‌ ୪ ବ୍ୟାଟରଙ୍କୁ ହରାଇଥିଲା। ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରାଂଶୁ ସେନାପତି ଖାତା ଖୋଲିବାରେ ସମର୍ଥ ହୋଇ ନ ଥିବା ବେଳେ ଅନୁରାଗ ଷଡଙ୍ଗୀ ୩ ଓ କାର୍ତ୍ତିକ ବିଶ୍ୱାଳ ୪ ରନ୍‌ କରିଥିଲେ। ଓଡ଼ିଶା ସଙ୍କଟରେ ରହିଥିବା ବେଳେ ଶତକୀୟ ଭାଗୀଦାରି ସହିତ ସଙ୍କଟରୁ ଉଦ୍ଧାର କରିଥିଲେ ଶାନ୍ତନୁ ଓ ଉଇକେଟ କିପର ରାଜେଶ ଧୂପର(୬୨)। ଉଭୟ ୫ମ ଉଇକେଟରେ ୧୨୬ ରନ୍‌ ଯୋଗ କରିଥିଲେ। ଶାନ୍ତନୁ ୨୧୮ ବଲ୍‌ ଖେଳି ୧୪ ଚୌକା ସହିତ ଏକ ଧୈର୍ଯ୍ୟପୂର୍ଣ୍ଣ ଶତକ ହାସଲ କରିଥିଲେ। ୨୯ ତମ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳୁଥିବା ଶାନ୍ତନୁଙ୍କ ଏହା ଚତୁର୍ଥ ଶତକ। ଅନ୍ୟପକ୍ଷରେ ଉଇକେଟ କିପର ରାଜେଶ ଧୂପର ୧୬୫ ବଲ୍‌ ଖେଳି ୯ ଚୌକା ମାରିଥିଲେ। ଦଳୀୟ ସ୍କୋର ୧୪୬ରେ ସୌରଭ କୁମାରଙ୍କ ବଲରେ ରାଜେଶ ପ୍ୟାଭିଲିୟନ ଫେରିବା ପରେ ଯୋଗ ଦେଇଥିଲେ ଅଭିଷେକ ରାଉତ। ଖେଳ ଶେଷ ଯାଏ ଅଭିଷେକ ୪୩ ରନରେ ଅପରାଜିତ ରହିଥିବା ବେଳେ ଶାନ୍ତନୁଙ୍କ ସହିତ ଯୋଡିଥିଲେ ଅବିଭାଜିତ ୭୬ ରନ୍‌। ଉତ୍ତରପ୍ରଦେଶ ପକ୍ଷରୁ କୁନାଲ ଯାଦବ ଓ କାର୍ତ୍ତିକେୟ ଜୟସ୍ବାଲ ପ୍ରତ୍ୟେକ ଦୁଇଟି ଏବଂ ସୌରଭ କୁମାର ଗୋଟିଏ ଉଇକେଟ ନେଇଥିଲେ।

Share