ଦାରିଙ୍ଗବାଡି, ୨୮। ୪ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଲୋହରା ସାହିର ଜଣେ ଯୁବକ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ସମଗ୍ର ଦାରିଙ୍ଗବାଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ଯୁବକ ହେଲେ ଉକ୍ତ ସାହିର ଶଙ୍କର ବିଷୋୟୀ(୪୦)ବୋଲି ଜଣାପଡିଛି। ଏବେ ପରିବାର ଲୋକଙ୍କ ଚିନ୍ତା ଶଙ୍କରଙ୍କ ମୃତ ଦେହକୁ କିଭଳି ଦାରିଙ୍ଗବାଡିରେ ପହଞ୍ଚିବ। ସେମାନେ ଏନେଇ ପୋଲିସ ପ୍ରଶାସନ, ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରିଥିବା ମୃତକଙ୍କ ବାପା ପୁନିଆ ବିଷୋୟୀ, ମା’ ତମାଳ ବିଶୋଇ କହିଛନ୍ତି, ଘଟଣାଟି ମୁମ୍ବାଇରେ ହୋଇଥିବାରୁ ମୃତଦେହ ଆଣିବାକୁ ଖର୍ଚ୍ଚ କରିବାରେ ପରିବାର ସମ୍ପୂର୍ଣ୍ଣ ଅସମର୍ଥ।
ପ୍ରକାଶ ଯେ, ଶଙ୍କର ଦାରିଙ୍ଗବାଡିରେ ବୁଲି ବୁଲି ପାମ୍ପ ବିକ୍ରୀ କରୁଥିଲେ ସେଥିରେ ତାଙ୍କ ପରିବାର ପେତିପୋଷଣ ହେବା କଷ୍ଟ ହେବାରୁ ସେ ଚଳିତ ଗୁରୁବାର ଦାଦନ ଖଟିବାକୁ ମୁମ୍ବାଇ ବାହାରିଥିଲେ ସେ ୨୫ ରେ ମୁମ୍ବାଇରେ ପହଞ୍ଚିଥିଲେ ଓ ଗୋଟିଏ ଦିନ ବିଶ୍ରାମ କରିବା ପରେ ସୋମବାର ଏକ କୋଠା ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟରେ ଯୋଗଦାନ କରିଥିଲେ। ସେ କାର୍ଯ୍ୟରେ ଯୋଗଦେବାର କିଛି ସମୟ ମଧ୍ୟରେ ୪ ମହଲା ଉପରେ କାର୍ଯ୍ୟ କରୁଥିବାବେଳେ ଅସାବଧାନତା ଯୋଗୁ ସେ ଖସି ପଡିଥିଲେ ଓ ଘଟଣାସ୍ଥଳରେ ହିଁ ଶଙ୍କରଙ୍କ ପ୍ରାଣବାୟୁ ଚାଲିଯାଇଥିଲା। ସେ ଯେଉଁଠି କାର୍ଯ୍ୟ କରୁଥିଲେ ସେଠାରୁ ତାଙ୍କ ପରିବାର ଲୋକଙ୍କୁ ଫୋନ ଆସିଥିଲା ଏଥିରେ ପ୍ରଥମେ ପରିବାର ଲୋକ ବିଶ୍ୱାସ କରିପାରି ନ ଥିଲେ। ପରେ ସେଠାରୁ ଭିଡିଓ କଲିଂରେ ମୃତଶରୀରକୁ ପରିବାର ଲୋକ ଚିହ୍ନଟ କରିଥିବା ମୃତ ଶଙ୍କରଙ୍କ ପରିବାର ଲୋକ କହିଛନ୍ତି। ଶଙ୍କରଙ୍କ ମୃତ୍ୟୁକୁ ନେଇ ପରିବାର ଏବଂ ଗ୍ରାମବାସୀ ଶୋକରେ ରହିଛନ୍ତି।