ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍ ସ୍ପିନର ଶେନ୍ ଓ୍ବର୍ନଙ୍କ ହଠାତ୍ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍ସନ ଓ୍ବର୍ନ ମୁହଁ ଖୋଲିଛନ୍ତି। ଓ୍ବର୍ନ ୫୨ ବର୍ଷ ବୟସରେ ୨୦୨୨ରେ ଥାଇଲାଣ୍ଡର ଏକ ରିଜର୍ଟରେ ହୃଦ୍ଘାତରେ ପ୍ରାଣ ହରାଇଥିଲେ। ହଠାତ୍ ତାଙ୍କର ମୃତ୍ୟୁ ଖବର ପୂରା କ୍ରିକେଟ୍ ଜଗତକୁ ଚକିତ କରିଦେଇଥିଲା। ପୁଅ ଜ୍ୟାକ୍ସନଙ୍କ ମତରେ ଶେନ୍ଙ୍କ ମୃତ୍ୟୁରେ କୋଭିଡ୍-୧୯ ଭାକ୍ସିନ୍ର ଭୂମିକା ଥାଇପାରେ।
ବାପାଙ୍କ ମୃତ୍ୟୁରେ କୋଭିଡ୍ ଭାକ୍ସିନ୍ର ଭୂମିକା ରହିଛି। ମୋ ମତରେ ଏବେ ଏ ସମ୍ପର୍କରେ କହିବା ବିବାଦୀୟ ହେବନାହିଁ। ଯଦି ବାପାଙ୍କର ଅନ୍ତର୍ନିହିତ ସ୍ବାସ୍ଥ୍ୟ ସମସ୍ୟା ଥିଲା, ତେବେ ତାହାକୁ କୋଭିଡ୍ ଭାକ୍ସିନ ହିଁ ବାହାରକୁ ଆଣିଥିଲା। ବାପାଙ୍କ ମୃତ୍ୟୁ ଖବର ପାଇବା ପରେ ମୁଁ ତୁରନ୍ତ କୋଭିଡ୍ ଓ ଭାକ୍ସିନକୁ ଦାୟୀ କରିଥିଲି। ବାପାଙ୍କ ମୃତ୍ୟୁ ପରେ ସର୍ବସାଧାରଣରେ ମୁଁ ଏ ସମ୍ପର୍କରେ କଥା ହେବାକୁ ଚାହୁଁଥିଲି। କିନ୍ତୁ ଶେଷରେ ମୁଁ ତାହା ନ କରିବାକୁ ନିଷ୍ପତ୍ତି ନେଇଥିଲି। ନ ହେଲେ ମୁଁ ଭିନ୍ନ ସ୍ଥିତିରେ ଥାଆନ୍ତି ବୋଲି ଜ୍ୟାକ୍ସନ ‘୨ ଓ୍ବାଲର୍ଡ କୋଲାଇଡ୍’ ନାମକ ଏକ ପଡ୍କାଷ୍ଟରେ କହିଛନ୍ତି।
ସେ କହିଛନ୍ତି, କୋଭିଡ୍ ପୂର୍ବରୁ ଅନେକ ଲୋକଙ୍କ ହୃଦ୍ଘାତରେ ମୃତ୍ୟୁ ହେଉଥିଲା। କିନ୍ତୁ ବାପା ପୂରା ଠିକ୍ ଥିଲେ। ମୋ ମତରେ ତାଙ୍କୁ ୩ରୁ ୪ ଭାକ୍ସିନ ଡୋଜ୍ ଦିଆଯାଇଥିଲା। ସେଗୁଡ଼ିକୁ ନେବାକୁ ସେ ଚାହୁଁ ନ ଥିଲେ। ମାତ୍ର କାମ କରିବା ପାଇଁ ତାଙ୍କୁ ବାଧ୍ୟହୋଇ ଭାକ୍ସିନ ନେବାକୁ ପଡ଼ିଥିଲା।