ନୂଆଦିଲ୍ଲୀ,୨୬।୧୧:ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଶନ ଟେଟଙ୍କୂ କ୍ରିକେଟ ଜଗତରେ କିଏ ବା ନଜାଣେ! ନିଜର ଘାତକ ବୋଲିଂ ଏବଂ ଅସାଧାରଣ ବେଗ ପାଇଁ ସେ ବେଶ ପରିଚିତ। କ୍ରିକେଟ୍ରୁ ଅବସର ନେବା ପରେ ବର୍ତ୍ତମାନ ସେ କମେଣ୍ଟେଟର ଏବଂ କ୍ରିକେଟ ବିଶେଷଜ୍ଞ ଭାବେ ନଜର ଆସୁଛନ୍ତି। ଆଗାମୀ ୨୦୨୭ ମସିହାରେ ଦିନିକିଆ ବିଶ୍ୱକପ ଖେଳାଯିବ। ଏହା ପୂର୍ବରୁ ଶନ ଟେଟ ନିଜର ଅଲଟାଇମ ଶ୍ରେଷ୍ଠ ଦିନିକିଆ ପ୍ଲେଇଂ ଏକାଦଶ ଚୟନ କରିଛନ୍ତି। ଏହି ଦଳରେ ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ, ୱେଷ୍ଟଇଣ୍ଡିଜ ଏବଂ ଅନ୍ୟ ଦେଶର ମହାନ ଖେଳାଳିଙ୍କୁ ସ୍ଥାନ ମିଳିଛି।
ଶନ ଟେଟ ନିଜ ଦଳର ଓପନିଂ ଦାୟିତ୍ୱ ଅଷ୍ଟ୍ରେଲିଆର ଆଡାମ ଗିଲକ୍ରିଷ୍ଟ ଏବଂ ଭାରତର ବିସ୍ଫୋରକ ବ୍ୟାଟର୍ ବୀରେନ୍ଦ୍ର ସେହ୍ବାଗଙ୍କ ଦେଇଛନ୍ତି। ଉଭୟ ଖେଳାଳି ଦିନିକିଆ କ୍ରିକେଟ୍ରେ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପରିଚିତ। ଦ୍ରୁତ ରନ ସଂଗ୍ରହ କରି ବିପକ୍ଷ ବୋଲରଙ୍କ ଉପରେ ଚାପ ପକାଇବାରେ ଉଭୟଙ୍କର ସ୍ବତନ୍ତ୍ର ପରିଚୟ ରହିଛି।
ମଧ୍ୟକ୍ରମର ଦାୟିତ୍ୱ ଟେଟ ରିକି ପଣ୍ଟିଂ, ସଚିନ ତେନ୍ଦୁଲକର, ବ୍ରାଏନ ଲାରା ଏବଂ ବିରାଟ କୋହଲିଙ୍କୁ ଦେଇଛନ୍ତି। ଦିନିକିଆ କ୍ରିକେଟ୍ରେ ସଚିନ ତେନ୍ଦୁଲକର ୧୮,୪୨୬ ରନ ସହ ସର୍ବାଧିକ ରନ ସଂଗ୍ରହକାରୀ। ଅନ୍ୟପଟେ ବିରାଟ କୋହଲି ମଧ୍ୟ ନିଜର ଚମତ୍କାର ବ୍ୟାଟିଂ ଜରିଆରେ ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି। ରିକି ପଣ୍ଟିଂ ଏବଂ ବ୍ରାଏନ ଲାରା ମଧ୍ୟ ଦିନିକିଆରେ ୧୦ ହଜାରରୁ ଅଧିକ ରନ କରିଛନ୍ତି।
ଉଇକେଟ୍କିପର ଭାବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଚୟନ କରିଛନ୍ତି ଶନ ଟେଟ। ଧୋନୀ ଭାରତ ପକ୍ଷରୁ ୩୫୦ଟି ଦିନିକିଆ ମ୍ୟାଚ ଖେଳି ୧୦,୭୭୩ ରନ କରିଛନ୍ତି। ଉଇକେଟ ପଛରେ ମଧ୍ୟ ତାଙ୍କର ରେକର୍ଡ ଅତ୍ୟନ୍ତ ଚମତ୍କାର। ସେ ୩୨୧ଟି କ୍ୟାଚ ଏବଂ ୧୨୩ଟି ଷ୍ଟମ୍ପିଂ ସହ ମୋଟ ୪୪୪ଟି ଶିକାର କରିଛନ୍ତି।
ନିଜର ଅଲଟାଇମ ଦିନିକିଆ ଏକାଦଶରେ ଟେଟ ମୋଟ ୪ ଜଣ ବୋଲରଙ୍କୁ ଚୟନ କରିଛନ୍ତି। ସ୍ପିନ ବୋଲିଂ ବିଭାଗରେ ଅଷ୍ଟ୍ରେଲିଆର ମହାନ ଲେଗ ସ୍ପିନର ଶେନ ୱାର୍ଣ୍ଣଙ୍କୁ ସ୍ଥାନ ମିଳିଛି। ଅନ୍ୟପଟେ ଦ୍ରୁତ ବୋଲିଂ ବିଭାଗରେ ପାକିସ୍ତାନର ୱାସିମ ଆକ୍ରମ ଓ ସୋଏବ ଅଖତରଙ୍କ ସହ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକଗ୍ରାଙ୍କୁ ସାମିଲ କରିଛନ୍ତି। ଏହି ବୋଲିଂ ଆକ୍ରମଣ ଯେକୌଣସି ବ୍ୟାଟିଂ ଲାଇନଅପଙ୍କ ଚ୍ୟାଲେଞ୍ଜ ଦେବାକୁ ସକ୍ଷମ।
ଶନ ଟେଟଙ୍କୁ ଅଲ୍ଟାଇମ ଶ୍ରେଷ୍ଠ ଦିନିକିଆ ପ୍ଲେଇଂ ଏକାଦଶ
୧. ଆଡାମ ଗିଲକ୍ରିଷ୍ଟ
୨. ବୀରେନ୍ଦ୍ର ସେହ୍ବାଗ
୩. ରିକି ପଣ୍ଟିଂ
୪. ସଚିନ ତେନ୍ଦୁଲକର
୫. ବ୍ରାଏନ ଲାରା
୬. ବିରାଟ କୋହଲି
୭. ଏମଏସ ଧୋନୀ (ଉଇକେଟକିପର)
୮. ଶେନ ୱାର୍ଣ୍ଣ
୯. ୱାସିମ ଆକ୍ରମ
୧୦. ଗ୍ଲେନ ମ୍ୟାକଗ୍ରାଥ
୧୧. ସୋଏବ ଅଖତର