ଭଉଣୀ ଶିଳ୍ପାଙ୍କ ବିବାହ ପରେ ମାସେ ଯାଏ ଅବସାଦଗ୍ରସ୍ତ ହୋଇଥିଲେ ସମିତା; ଛାଡ଼ି ଦେଇଥିଲେ ବିଗ୍‌ବସ୍‌…

ବମ୍ବେ: ପର୍ନ ଫିଲ୍ମ ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ସେ ଏବେ ପୋଲିସ ହେପାଜତରେ ଅଛନ୍ତି। ତାଙ୍କ ଜାମିନ ଆବେଦନ ବାରମ୍ବାର ଖାରଜ ହେଉଥିବା ବେଳେ ପୋଲିସ ତାଙ୍କୁ ପଚରାଉଚରା ଜାରି ରଖିଛି। ଇତିମଧ୍ୟରେ ଶିଳ୍ପା ଆଧିକାରିକ ଭାବେ ନିଜର ବୟାନ ଜାରି କରିଛନ୍ତି। ଏହାକୁ ସମର୍ଥନ କରିଛନ୍ତି ଭଉଣୀ ସମିତା ସେଟ୍ଟୀ। ତେବେ ଦିନ ଥିଲା ଶିଳ୍ପାଙ୍କ ବିବାହକୁ ନେଇ ଡିପ୍ରେସନ(ଅବସାଦ)କୁ ଚାଲି ଯାଇଥିଲେ ସମିତା।

ଘଟଣା ୨୦୦୯ର। ସେତେବେଳେ ସମିତା ବିଗ୍‌ବସ୍‌ରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ହେଲେ ଭଉଣୀ ଶିଳ୍ପା ବିବାହ କରୁଥିବାରୁ ସେ ଶୋ’ ଛାଡ଼ି ଦେଇଥିଲେ। ୨୦୧୬ରେ କପିଲ ଶର୍ମାଙ୍କ ଶୋ’ରେ ଶିଳ୍ପା, ରାଜ୍‌, ସମିତା ପହଞ୍ଚିଥିଲେ। ସେଠାରେ ସମିତା ନିଜ ଜୀବନ ସହ ଜଡ଼ିତ ଅନେକ କଥା ବାଣ୍ଟିଥିଲେ। ଶିଳ୍ପାଙ୍କ ବିବାହ ପରେ ଏକ ମାସ ପର୍ଯ୍ୟନ୍ତ ସେ ଅବସାଦଗ୍ରସ୍ତ ଥିବା କହିଥିଲେ।

ରାଜ-ଶିଳ୍ପାଙ୍କ ବିବାହକୁ ନେଇ ମୁଁ ଖୁସିଥିଲି। ହେଲେ ପରେ ଏକ ମାସ ପର୍ଯ୍ୟନ୍ତ ଡିପ୍ରେସନକୁ ଚାଲି ଯାଇଥିଲି। ଘରେ ଥିବା ସମୟରେ ବହୁତ ହସଖୁସିରେ ସମୟ କଟୁଥିଲା। ବିବାହ ପରେ ଘର ଖାଁ ଖାଁ ହୋଇଯାଇଥିଲା। ତାଙ୍କ କଥା ମନେ ପଡ଼ୁଥିଲା। ମାସେ ଯାଏ ସେହିଭଳି ଲାଗିଥିଲା ବୋଲି ସମିତା କହିଛନ୍ତି।

ସମିତା ଭଉଣୀ ଶିଳ୍ପାଙ୍କୁ ନିଜ ଆଦର୍ଶ ବୋଲି ଭାବିଥାନ୍ତି। ଏଣୁ ସେ ଏଭଳି ବିପଦ ସମୟରେ ଶିଳ୍ପାଙ୍କ ସମର୍ଥନରେ ବାହାରିଛନ୍ତି। ସୋସିଆଲ ମିଡିଆରେ ସେ ଶିଳ୍ପାଙ୍କ ପୋଷ୍ଟରେ କମେଣ୍ଟ କରି ‘ମୁଁ ତୁମକୁ ବହୁତ ଭଲପାଏ ମୁନ୍‌କି। ମୁଁ ତୋ ସହ ସବୁ ଭଲ-ଖରାପ ସମୟରେ ରହିଥିବି ବୋଲି ସେ କହିଛନ୍ତି।

Share