୩୦ ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ‘ଶଲା ବୁଢ଼ାର ବଦ୍‌ଲା’

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ଚଳଚ୍ଚିତ୍ର କହୁଛି ଓଡ଼ିଶାର ପରମ୍ପରା। ଗାଁର କଥା, ସାହିର କଥା ଆଉ ମଣିଷ ମଣିଷର କଥା। ମଣିଷ ଭିତରେ ଥିବା ରାଗ, କ୍ରୋଧକୁ ସମ୍ଭାଳି ନ ପାରି ସେ ଅନ୍ୟଠୁ ବଦଲା ନେବାକୁ ସବୁବେଳେ ଆଗଭର ଥାଏ। ତାହା ବି ଅମାନବିକ ଭାବରେ। କିନ୍ତୁ ପ୍ରକୃତ ବଦ୍‌ଲା ଯେ କ୍ଷମା, ଭଲପାଇବା, ଆଦର, ସତ୍କାରରୁ ନେଇହେବ ତାହା ସ୍ପଷ୍ଟ କରିଛି ଚଳଚ୍ଚିତ୍ର ଶଲା ବୁଢ଼ାର ବଦଲା। କାହାଣୀ ଯେତିକି ସରଳ, ଅଭିନୟ ସେମିତି ଜୀବନ୍ତ। ପୂର୍ବରୁ ଅନେକ ଚରିତ୍ରଙ୍କ ଅଭିନୟ ଦେଖେି ନଥିଲେ ବି ସେମାନେ ଯେ ନୂଆ କରି ଅଭିନୟ କରୁଛନ୍ତି ତାହା ଚଳଚ୍ଚିତ୍ରରେ ଜଣାପଡ଼ୁ ନଥିଲା। ସମାଜକୁ ଏକ ଭଲ ଶିକ୍ଷା ଦେବା ସହ ଓଡ଼ିଆ ଭାବନା ଆଣିଦେଇଛି ଏହି ଚଳଚ୍ଚିତ୍ର। ଚଳଚ୍ଚିତ୍ରଟି ଗଁା କଥା ସହ କମେଡି ମଧ୍ୟ ଜବରଦସ୍ତ ହୋଇଛି। ସେହିପରି ଶେଷ ପର୍ଯ୍ୟନ୍ତ ବଦଲାଟା କିଭଳି ନିଆଯିବ ତାହା ସସପେନ୍ସ ରଖି ବେଶ୍‌ ସୁନ୍ଦର ଭାବେ ଉପସ୍ଥାପିତ କରାଯାଇଛି। ଶେଷରେ ମାରପିଟ କି ବିଶୃଙ୍ଖଳା ନ କରି କ୍ଷମା ଯେ ସବୁଠୁ ବଡ଼ ବଦଲା ହୋଇପାରେ ତାହା ଦର୍ଶାଯାଇଛି। ଶୁକ୍ରବାର ଓଡ଼ିଆ ଭାଷାରେ ଓଡିଶାର ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର। ପ୍ରଯୋଜକ କୁମାର ସି. ଦେବ ମହାପାତ୍ର ରହିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପଙ୍କଜ ଜାଲ। ଅଭିନୟରେ ସ୍ବର୍ଗତ ଅଟଳ ବିହାରୀ ପଣ୍ଡା, ଚନ୍ଦନା ସିଂହ, ଲୋଚନି ବାଗ, ବିନ୍ଦୁ, ବୈରାଗୀ,ନେତ୍ରାନନ୍ଦ,ଜିତ୍‌,ମଣ୍ଟୁ ମହାପାତ୍ର ପ୍ରମୁଖ ରହିଛନ୍ତି।