ଶକିରାଙ୍କୁ ହୋଇପାରେ ୮ ବର୍ଷ ଜେଲ

ବାର୍ସିଲୋନା,୩୦।୭: ଖ୍ୟାତନାମା ପପ୍‌ ସିଙ୍ଗର ଶକିରାଙ୍କ ବିରୋଧରେ ଟାକ୍ସ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି। ୨୦୧୨ରୁ ୨୦୧୪ ମଧ୍ୟରେ ସେ ୧୪.୫ ମିଲିୟନ୍‌ ୟୁରୋ (୧,୧୭,୩୮, ୪୭, ୫୦୦ ଟଙ୍କା) ଟାକ୍ସ ପୈଠ ନ କରିବା ଆଧାରରେ ସ୍ପେନ୍‌ର ଏକ କୋର୍ଟରେ ଅଭିଯୋଗ ହୋଇଛି। ଯଦି ଶକିରା ଟାକ୍ସ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ୮ ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଆୟକର ବିଭାଗ ଓକିଲ କହିଛନ୍ତି। ମାମଲାର ସମାଧାନ ପାଇଁ ଆୟକର ବିଭାଗ ଓକିଲ ତାଙ୍କ ଆଗରେ ଏକ ଡିଲ୍‌ ରଖିଥିଲେ ହେଁ ଶକିରା କୋର୍ଟରେ ମାମଲାର ସମାଧାନ ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଶକିରା ଜାଣିଛନ୍ତି ସେ ନିର୍ଦ୍ଦୋଷ। ତାଙ୍କ ନାଁରେ ଆସିଥିବା ଟାକ୍ସ ଠକେଇ ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ଭିତ୍ତିହିନ। ଆୟକର ବିଭାଗର କାର୍ଯ୍ୟ ପ୍ରଣାଳୀକୁ ସେ ନିନ୍ଦା କରିଛନ୍ତି। ତେବେ କୋର୍ଟ ତାଙ୍କୁ ଉଚିତ୍‌ ନ୍ୟାୟ ଦେବ ବୋଲି ସେ ତାଙ୍କ ଓକିଲଙ୍କ ଜରିଆରେ କହିଛନ୍ତି। ମାମଲାର ଟ୍ରାଏଲ୍‌ ନେଇ କୋର୍ଟ ପକ୍ଷରୁ ତାରିଖ ଧାର୍ଯ୍ୟ କରାଯାଇନାହିଁ।
ଫୁଟବୋଲର ଜେରାର୍ଡ ପିକ୍ୱୁଙ୍କ ସହ ସମ୍ପର୍କରେ ଆସିବା ପରେ ୨୦୧୧ରେ ଶକିରା ସ୍ପେନ୍‌ରେ ଆସି ରହିବା ଆରମ୍ଭ କରିଥିଲେ। କିନ୍ତୁ ୨୦୧୫ ପର୍ଯ୍ୟନ୍ତ ସେ ନିଜର ସମସ୍ତ ଦସ୍ତାବିଜ୍‌ରେ ତାଙ୍କ ଘର ବାହାମସ ଲେଖିଥିବା ଆୟକର ବିଭାଗ ଓକିଲ କହିଛନ୍ତି। ୨୦୧୩-୧୪ରେ ଶକିରା ଏକ ସିଙ୍ଗିଙ୍ଗ ଶୋ’ର ଜଜ୍‌ ଭାବେ କାର୍ଯ୍ୟ କରିଥିଲେ। ୨୦୧୪ରେ ନିଜ ଆୟର ଅଧିକାଂଶ ଅଂଶ ସେ ଅନ୍ତର୍ଜାତୀୟ ଟୁର୍‌ରୁ ରୋଜଗାର କରିଥିବା ତାଙ୍କ ଓକିଲ କହିଛନ୍ତି। ୨୦୧୫ରେ ସେ ସମ୍ପୂର୍ଣ୍ଣ ଭାବେ ସ୍ପେନ୍‌ରେ ରହିଥିବାବେଳେ ୨୦୧୫ ପର୍ଯ୍ୟନ୍ତ ୧୭.୨ ମିଲିୟନ୍‌ ୟୁରୋ (୧,୩୯,୧୫,୯୭,୬୮୯.୯୭ ଟଙ୍କା) ସେ ପୈଠ କରିଥିବା କହିଛନ୍ତି। ଏ ନେଇ ଗତ ମେ’ରେ ଶକିରା ସ୍ପେନ୍‌ର ଏକ କୋର୍ଟରେ ଆବେଦନ କରିଥିବାବେଳେ କୋର୍ଟ ତାହାକୁ ଖାରଜ କରିଦେଇଥିଲେ।

Share