Categories: ଜାତୀୟ

ଏନ୍‌ଡିଏ ଗଢିବ ସରକାର, ନୀତୀଶ ହେବେ ମୁଖ୍ୟମନ୍ତ୍ରୀ: ଶାହନବାଜ

ପାଟନା,୧୦ ।୧୧: ବିହାର ବିଧାନସଭା ନିର୍ବାଚନ ଫଳଫଳ ମଙ୍ଗଳବାର ଆସିବା ପରେ ଏହା ସ୍ପଷ୍ଟ ହୋଇଯିବ ଯେ କିଏ ଶାସନ ଗାଦିରେ ବସିବ । ତେବେ ଭୋଟ ଗଣତି ପୂର୍ବରୁ ସମସ୍ତ ଏକ୍‌ଜିଟ୍ ପୋଲ୍ ମହାମେଣ୍ଟ ସରକାର ଗଢିବ ବୋଲି ଇସାରା କରୁଥିବା ବେଳେ ଏନ୍‌ଡିଏ କିନ୍ତୁ ଦାବି କରିଛି ବହୁ ପରିମାଣରେ ବିଜୟ ଲାଭ କରି ସରକାର ଗଠନ କରିବ । ଏନ୍‌ଡିଏର ରାଷ୍ଟ୍ରୀୟ ପ୍ରବକ୍ତା ଶାହନବାଜ ହୁସେନ ଦାବି କରିଛନ୍ତି ଯେ ବିହାରରେ ଏନ୍‌ଡିଏ ବହୁମତରେ ବିଜୟ ଲାଭ କରି ସରକାର ଗଠନ କରିବ । ଆଉ ନୀତୀଶ କୁମାର ହେବେ ପୁଣିଥରେ ବିହାର ମୁଖ୍ୟମନ୍ତ୍ରୀ । ଏକ୍‌ଜିଟ୍ ପୋଲ୍‌ର ଆକଳନକୁ ପଛକୁ ପକାଇ ସେ କହିଛନ୍ତି ଏଥର ବିହାରବାସୀ ଯେଉଁ ପରିମାଣରେ ମତଦାନ କରିଛନ୍ତି ତାହା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରତି ସେମାନଙ୍କର ଥିବା ଭଲପାଇବା ଯୋଗୁ । ତେଣୁ ଏଥର ବିହାରରେ ଏନ୍‌ଡିଏ ସରକାର ଗଠନ କରିବ । ମଙ୍ଗଳବାର ଦିନ ୧୨ଟା ସୁଦ୍ଧା ଏହା ସ୍ପଷ୍ଟ ହୋଇଯିବ । ଅନ୍ୟପଟେ ୨୦୧୫ ଏକ୍‌ଜିଟ୍ ପୋଲର ଉଦାହରଣ ଦେଇ ଶାହନବାଜ କହିଛନ୍ତି ସେତେବେଳେ ଏକ୍‌ଜିଟ୍ ପୋଲ୍ ଆକଳନ କରିଥିଲା କି ଭାରତୀୟ ଜନତା ପାର୍ଟି(ଭାଜପା)କୁ ବହୁମତ ମିଳିବ ହେଲେ ତାହା ଭୁଲ୍ ପ୍ରମାଣିତ ହୋଇଥିଲା । ତେଣୁ ଏକ୍‌ଜିଟ୍ ପୋଲକୁ ପଛକୁ ପକାନ୍ତୁ ଏଥର ବିହାରରେ ଏନ୍‌ଡିଏ ସରକାର ଗଠନ କରିବା ନିଶ୍ଚିତ ବୋଲି ସେ କହିଛନ୍ତି । ସେପଟେ ପ୍ରାରମ୍ଭିକ ଭୋଟ ଗଣତିରେ ଏବେ ମହାମେଣ୍ଟ ଆଗରେ ଥିବା ବେଳେ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

Share