Categories: ଜାତୀୟ

ରାଣ ପକାଇ ସତ କୁହ କାହାକୁ ଦେଇଛ ଭୋଟ

ଲକ୍ଷ୍ନୌ,୧୩।୭: ଉତ୍ତରପ୍ରଦେଶ ଶାହଜହାଁପୁରର ଭାଜପା ବିଧାୟକ ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏକ ବିବାଦୀୟ ବୟାନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟିରେ ସେ କହିଛନ୍ତି, ପୁଅର ରାଣ ପକାଇ କୁହ ଭାଜପାକୁ ଭୋଟ ଦେଇଛ କି। ଯଦି ଦେଇଛ ତେବେ ତୁମର ଲାଇଟ୍‌ ଲଗାଯିବ। ସୂଚନାଯୋଗ୍ୟ, ମୀରାନପୁର କଟରାର ଭାଜପା ବିଧାୟକ ବିର ବିକ୍ରମ ସିଂହ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଦେଇଥିଲେ। ସେଠାରେ ସେ ଜନତାଙ୍କୁ ସମ୍ଭୋଧିତ କରିବା ସହ ନିଜର ବିକାଶ କାର୍ଯ୍ୟର ଡିଣ୍ଡିମ ପିଟିଥିଲେ। ଠିକ୍‌ ସେହି ସମୟରେ ଜଣେ ଗ୍ରାମବାସୀ ଘରେ ଲାଇଟ ଲଗାଇବାକୁ ନେଇ ତାଙ୍କୁ ନିବେଦନ କରିଥିଲେ। ଏହାପରେ ବିଧାୟକ ବିର ବିକ୍ରମ ଉକ୍ତ ଗ୍ରାମବାସୀଙ୍କୁ କହିଥିଲେ, ପୁଅର ରାଣ ପକାଇ କୁହ ଭାଜପାକୁ ଭୋଟ ଦେଇଛ କି। କାରଣ ଯାହାକୁ କିଛି ଦିଆଯାଇଥାଏ ସେମାନଙ୍କଠାରୁ ହିଁ କିଛି ଆଶା କରାଯାଇଥାଏ। ଯଦି ତମେ ଭାଜପାକୁ ଭୋଟ ଦେଇଛ ତେବେ ତୁମ ଘରେ ସଙ୍ଗେ ସଙ୍ଗେ ଲାଇଟ ଲଗାଇଦିଆଯିବ ବୋଲି ବିର ବିକ୍ରମ କହିଥିଲେ। ତାଙ୍କର ଏହି ବୟାନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Share