Categories: ଖେଳ

ମିଛ କହି ଟ୍ରୋଲ ହେଲେ ଆଫ୍ରିଦି: ଲୋକେ ପଚାରିଲେ ‘ସତ କୁହ ବୟସ କେତେ’

ନୂଆଦିଲ୍ଲୀ,୧।୩: ସୋମବାର ପାକିସ୍ତାନର ପୂର୍ବ ଅଲ୍‌ରାଉଣ୍ଡର ଶାହିଦ୍‌ ଆଫ୍ରିଦିଙ୍କ ଜନ୍ମଦିନ। ଏହି ଅବସରରେ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପରେ କ୍ରିକେଟର ତାଙ୍କୁ ଧନ୍ୟବାଦ ଜଣାଇ ଏକ ଟୁଇଟ୍‌ କରିଥିଲେ। ଏହା ବେଶ୍‌ ଭାଇରାଲ ହେବା ସହ ଲୋକମାନେ ତାଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି।

ଅନେକ ଥର ନିଜର ବୟସକୁ ନେଇ ବିବାଦକୁ ଆସିଥିବା ଆଫ୍ରିଦି ପୁଣି ସମାନ କଥାକୁ ନେଇ ଚର୍ଚ୍ଚାରେ। ସେ କରିଥିବା ଟୁଇଟ୍‌ରେ ବୟସ ୪୪ ବୋଲି ଦର୍ଶାଇଥିଲେ। ହେଲେ ଲୋକମାନେ ତାଙ୍କୁ ପ୍ରକୃତ ବୟସ କେତେ ଜଣାନ୍ତୁ ବୋଲି କହୁଛନ୍ତି। ୪୧,୪୪ ନା ୪୬, କ’ଣ ତାଙ୍କର ବୟସ ତାହା ଜଣାନ୍ତୁ ବୋଲି ପ୍ରଶ୍ନ କରୁଛନ୍ତି।

ପ୍ରକାଶ ଯେ, କାଗଜପତ୍ରରେ ଆଫ୍ରିଦିଙ୍କ ଜନ୍ମ ୧୯୮୦ରେ ହୋଇଥିବା ଦର୍ଶାଯାଇଛି। ହେଲେ ସେ ନିଜର ଆତ୍ମଜୀବନୀ ‘ଗେମ୍‌ ଚେଞ୍ଜର’ରେ ଡେବ୍ୟୁ ସମୟରେ ତାଙ୍କୁ ୧୬ ନୁହେଁ ବରଂ ୧୯ ବର୍ଷ ହୋଇଥିବା ଲେଖିବା ସହ ଜନ୍ମ ୧୯୭୫ରେ ହୋଇଥିବା ଦର୍ଶାଇଛନ୍ତି। ଏହି ପୁସ୍ତକ ଅନୁଯାୟୀ ତାଙ୍କର ବୟସ ୪୬ ବର୍ଷ ହୋଇଥିବା ବେଳେ ଉଇକିପିଡିଆରେ ୪୧ ନଜର ଆସୁଛି। ଅପରପକ୍ଷେ ସେ ନିଜେ ୪୪ ବର୍ଷର ହୋଇଥିବା କହିବା ପରେ ଟ୍ରୋଲିଂର ଶିକାର ହୋଇଛନ୍ତି।

Share