ଗଞ୍ଜାମ,୨୧।୫(ଅନାଥ ତରାଇ): +୨ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଗଞ୍ଜାମ ବ୍ଲକ ସ୍ଥିତ ସହିଦ ଭଗତ୍ ସିଂହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଆସିଛି। ଚଳିତ ବର୍ଷର +୨ ଦ୍ୱିତୀୟ ବର୍ଷ ପରୀକ୍ଷାରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଦ୍ଭୁତପୂର୍ବ ସଫଳତା ହାସଲ କରି ସମଗ୍ର ଅଞ୍ଚଳକୁ ଗୌରବାନୱିତ କରିଛନ୍ତି। ବିଦ୍ୟାଳୟର ବିଜ୍ଞାନ ବିଭାଗର ମେଧାବୀ ଛାତ୍ରୀ ସିମରନ ସ୍ବାଇଁ ମୋଟ ୫୬୯ ମାର୍କ (୯୪.୮୮ ପ୍ରତିଶତ) ରଖି ଗଞ୍ଜାମ ବ୍ଲକର ସର୍ବୋଚ୍ଚ ସ୍ଥାନ ବା ବ୍ଲକ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସିମରନଙ୍କ ଏହି ଅସାଧାରଣ ସଫଳତା ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିଛି। ସେହିଭଳି କଳା ବିଭାଗରେ ମଧ୍ୟ ବିଦ୍ୟାଳୟର ଛାତ୍ରୀ ଲକି ସାହୁ ସର୍ବାଧିକ ୫୨୪ ନମ୍ବର (୮୭.୩୩%)ରଖି କଲେଜ ଟପ୍ପର ହୋଇଛନ୍ତି। ବିଦ୍ୟାଳୟର ମାନ୍ୟବର ଅଧକ୍ଷ ସରୋଜ କୁମାର ଦାସ ଆନୁଷ୍ଠାନିକ ଭାବେ ଏହି ସୂଚନା ପ୍ରଦାନ କରିଛନ୍ତି। ସେ ଉଭୟ କୃତୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଏହି ନିଷ୍ଠାପର ଉଦ୍ୟମ ଓ ଉଲ୍ଲେଖନୀୟ ସଫଳତା ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ଏହି ସଫଳତା ପଛରେ ପିଲାମାନଙ୍କର କଠିନ ପରିଶ୍ରମ ସହିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଠିକ ମାର୍ଗଦର୍ଶନ ଓ ଅଭିଭାବକମାନଙ୍କର ଆଶୀର୍ବାଦ ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ସହିଦ ଭଗତ୍ ସିଂହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏହି ଗୌରବ ପାଇଁ ଶୁଭକାମନା ଜଣାଇଛନ୍ତି।