ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ଶେହଓ୍ବାଜ ଶରିଫ

ଇସଲାମାବାଦ୍‌,୧୦।୪: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କ୍ଷମତାରୁ ହଟିବା ପରେ ପାକିସ୍ତାନରେ ରାଜନୀତି ସରଗରମ ହୋଇଛି। ବାନି ଗାଲାସ୍ଥିତ ଇମ୍ରାନ ଖାନଙ୍କ ବାସଭବନରେ କୋର କମିଟିର ଏକ ବୈଠକ ଡକାଯାଇଛି। ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି (ପିଟିଆଇ) ଦ୍ୱାରା ପ୍ରଧାନମନ୍ତ୍ରୀ ପଦ ପାଇଁ ଶାହ ମେହମୁଦ କୁରେଶୀଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ଅନ୍ୟପକ୍ଷରେ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌(ନଓ୍ବାଜ୍‌)ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଶେହଓ୍ବାଜ ଶରିଫଙ୍କ ନାମାଙ୍କନପତ୍ର ମଧ୍ୟ ଜାତୀୟ ସଭାରେ ଦାଖଲ କରାଯାଇଛି। ତେବେ ଶେହଓ୍ବାଜ୍‌ ହିଁ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିନ୍ତ ବୋଲି କୁହାଯାଉଛି। ପାକ ସଂସଦ ଆସନ୍ତା ସୋମବାର ଦିନ ୨ଟାରେ ବସିବ। ଏହି ଦିନ ନୂତନ ପ୍ରଧାନମନ୍ତ୍ରୀ ନାମ ଘୋଷଣା କରାଯିବ।
ସୂଚନାଯୋଗ୍ୟ, ଅନାସ୍ଥା ଭୋଟରେ ହାରିଯାଇଛନ୍ତି ଇମ୍ରାନ ଖାନ। ରାତି ୨ଟା ପର୍ଯ୍ୟନ୍ତ ଚାଲିଥିବା ଅନସ୍ଥା ଭୋଟରେ ୩୪୨ ସଦସ୍ୟଙ୍କ ମଧ୍ୟରୁ ମିଳିତ ବିରୋଧୀ ୧୭୪ ଭୋଟ ପାଇ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି। ତେବେ ଭୋଟ ବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସଂସଦରେ ଇପସ୍ଥିତ ନ ଥିଲେ। ଏହା ସହ ତେହେରିକେ ଇନସାଫର କୌଣସି ସଦସ୍ୟ ମଧ୍ୟ ଭୋଟିଂ ବେଳେ ଉପସ୍ଥିତ ନ ରହି ସଂସଦରୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା।

Share