ମୁମ୍ବାଇ ବିମାନ ବନ୍ଦରରେ ଶାହାରୁଖଙ୍କୁ ଅଟକାଇଲା କଷ୍ଟମ ବିଭାଗ, ଏକ ଘଣ୍ଟା ଧରି ଚାଲିଲା ପଚରା ଉଚରା

ମୁମ୍ବାଇ,୧୨ ।୧୧: ବଲିଉଡ ବାଦଶାହା ଶାହାରୁଖ ଖାଁଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇ ବିମାନ ବନ୍ଦରରେ କଷ୍ଟମ ବିଭାଗ ଅଟକାଇ ଦେଇଥିଲା । ପ୍ରାୟ ଏକ ଘଣ୍ଟାର ପଚରା ଉଚରା ପରେ ଶାହାରୁଖ ଓ ତାଙ୍କ ମ୍ୟାନେଜରଙ୍କୁ ବାହାରକୁ ବାହାରିବା ବେଳେ ସ୍ପଟ କରାଯାଇଥିଲା । ହେଲେ କିଙ୍ଗ ଖାଁଙ୍କ ବଡିଗାର୍ଡ ଓ ଟିମକୁ କଷ୍ଟମ ବିଭାଗ ସେ ପର୍ଯ୍ୟନ୍ତ ଛାଡି ନ ଥିଲା । ଖବର ଅନୁଯାୟୀ, ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଘଡି ଭାରତ ଆଣିବା, ବ୍ୟାଗରେ ମହଙ୍ଗା ଘଣ୍ଟାର ଖାଲି ଖୋଳ ମିଳିବା ଓ କଷ୍ଟମ ଡ୍ୟୁଟି ଦେଇ ନ ଥିବାରୁ ଶାହାରୁଖଙ୍କୁ ପଚରା ଉଚରା କରାଯାଇଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ଶାହାରୁଖ ତାଙ୍କ ଟିମ ସହ ପ୍ରାଇଭେଟ ଚାର୍ଟର ଭିଟିଆର-ଏସଜିରେ ଦୁବଇ ଏକ ବୁକ ଲଞ୍ଚ ଇଭେଣ୍ଟରେ ଯୋଗ ଦେଇ ସେହି ପ୍ରାଇଟେ ଚାର୍ଟରରେ ଶୁକ୍ରବାର ରାତି ୧୨ଟାରେ ମୁମ୍ବାଇ ଫେରୁଥିଲେ । ରେଡ ଚ୍ୟାନେଲ ପାର ହେବା ସମୟରେ କଷ୍ଟମ ବିଭାଗ ଶାହାରୁଖ ଓ ତାଙ୍କ ଟିମଙ୍କ ବ୍ୟାଗରୁ ଲକ୍ଷ ଲକ୍ଷ ଟଙ୍କାର ମହଙ୍ଗା ଘଡି ପାଇଥିଲେ । ଏହାପରେ କଷ୍ଟମ ବିଭାଗ ସମସ୍ତଙ୍କୁ ଅଟକାଇ ଦେଇ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ କିଛି ମହଙ୍ଗା ଘଡି ବବୁନ ଆଣ୍ଡ ଜୁର୍ୱକ ଘଡି, ରୋଲେକ୍ସ ଘଣ୍ଟାର ୬ଡି ଡବା, ସ୍ପିରିଟ ବ୍ରାଣ୍ଡର ଘଡି(ପ୍ରାୟ ୮ ଲକ୍ଷ ଟଙ୍କା ଦାମ) ଆପଲ ସିରିଜର ଘଡି ମିଳିଥିଲା । ଏହାସହ ଘଡିର କିଛି ଖାଲି ବକ୍ସ ବି ମିଳିଥିଲା । କଷ୍ଟମ ବିଭାଗ ଏହି ଘଡିର ଇଭାଲ୍ୟୁଶନ କରିଥିବା ବେଳେ ତାଙ୍କ ଉପରେ ୧୭ ଲକ୍ଷ ୫୬ ହଜାର ୫୦୦ ଟଙ୍କାର କଷ୍ଟମ ଡୁୃଟି ଲାଗିଥିଲା । ଏହାପରେ ଏହି ମହଙ୍ଗା ଘଡିର ଦାମ ଉପରେ ଲକ୍ଷ ଲକ୍ଷ ଟଙ୍କାର ଟ୍ୟାକ୍ସ ବି ଲାଗିଥିଲା । ଘଣ୍ଟାଏ ପଚରା ଉଚରା ପରେ ଶାହାରୁଖ ଓ ପୂଜା ଦଦଲାନିଙ୍କୁ ଛାଡି ଦିଆଯାଇଥିବା ବେଳେ, ତାଙ୍କ ଟିମକୁ କିନ୍ତୁ ଅଟକାଇ ଦିଆଯାଇଥିଲା ।

Share