ବଲିଉଡ ଇଣ୍ଡଷ୍ଟ୍ରିରେ ୩୪ ବର୍ଷ ପୂରଣ କଲେ ଶାହରୁଖ

ବଲିଉଡର କିଙ୍ଗ୍‌ ଶାହରୁଖ ଖାନ ଇଣ୍ଡଷ୍ଟ୍ରିରେ ୩୪ ବର୍ଷ ପୂରଣ କରିଛନ୍ତି। ଏହି କୃତିତ୍ୱ ପାଇଁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ। ୨୫ ଜୁନ ୧୯୯୨ରେ ବଲିଉଡର ସବୁଠାରୁ ବଡ଼ ଷ୍ଟାରମାନଙ୍କ ମଧ୍ୟରୁ ଜଣେ ଶାହରୁଖ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପରେ ଡେବ୍ୟୁ କରିଥିଲେ। ସେ ଫିଲ୍ମ ‘ଦିୱାନା’ ସହିତ ତାଙ୍କର ବଲିଉଡ ଯାତ୍ରା ଆରମ୍ଭ କରିଥିଲେ।
ଶାହରୁଖ ଟେଲିଭିଜନରେ ତାଙ୍କର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ‘ଫୌଜି’ ଭଳି ଶୋ’ରେ ଦେଖା ଦେଇଥିଲେ। ଯଦିଓ ତାଙ୍କୁ ପ୍ରଥମେ ଫିଲ୍ମ ‘ଦିଲ ଆଶନା ହୈ’ ପାଇଁ ସାଇନ କରାଯାଇଥିଲା। ‘ଦିୱାନା’ ତାଙ୍କର ପ୍ରଥମ ମୁକ୍ତିଲାଭ କରିଥିବା ଫିଲ୍ମ ଥିଲା। ‘ଦିୱାନା’ରେ ସେ ଋଷି କପୁର ଏବଂ ଦିବ୍ୟା ଭାରତୀ ଭଳି ଅଭିନେତାଙ୍କ ସହିତ ସ୍କ୍ରିନ ଶେୟାର କରିଥିଲେ।
ଇଣ୍ଡଷ୍ଟ୍ରୀରେ ୩୪ ବର୍ଷ ପୂରଣ ଅବସରରେ ସେ ମାଙ୍ଗାଲୋରରେ ଏହି ବିଶେଷ ଏବଂ ସ୍ମରଣୀୟ ମାଇଲଖୁଣ୍ଟ ପାଳନ କରିଥିଲେ। ଏକ କାର୍ଯ୍ୟକ୍ରମରେ ତାଙ୍କର କିଛି ହିଟ ଗୀତରେ ମଞ୍ଚ ଉପରେ ଠୁମ୍‌କା ଲଗାଇଥିଲେ। ସେ ‘ଝୁମେ ଜୋ ପଠାନ’, ଛମ୍ମକ ଚଲ୍ଲୋ ଏବଂ ତୁଝେ ଦେଖା ତୋ ୟେ ଜାନା ସନମ ପରି ଟ୍ରାକଗୁଡ଼ିକରେ ଶକ୍ତିଶାଳୀ ନୃତ୍ୟ କରି ପ୍ରଶଂସକମାନଙ୍କୁ ଖୁସି କରିଥିଲେ। କାର୍ଯ୍ୟକ୍ରମରେ ଶାହରୁଖ ଏକ ଧଳା ଟି-ଶର୍ଟ ସହିତ ଏକ କଳା ଶୁଟ ପିନ୍ଧିଥିଲେ।
ତାଙ୍କ ୩୪ ବର୍ଷର କ୍ୟାରିୟରରେ ଶାହରୁଖ ଅନେକ ଚମତ୍କାର ଚଳଚ୍ଚିତ୍ର ପ୍ରଦାନ କରିଛନ୍ତି। ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ, କରଣ ଅର୍ଜୁନ, ଦିଲ ତୋ ପାଗଲ ହୈ, ଦେବଦାସ, ଚେନ୍ନାଇ ଏକ୍ସପ୍ରେସ, ପଠାନ, ଏବଂ ଜବାନ ଭଳି ବ୍ଲକବ୍ଲଷ୍ଟର ଫିଲ୍ମରେ ସେ ଅଭିନୟ କରିଛନ୍ତି। ଏହି ଅଭିନେତା ପରବର୍ତ୍ତୀ ସମୟରେ ‘କିଙ୍ଗ୍‌’ ଚଳଚ୍ଚିତ୍ରରେ ନଜର ଆସିବେ। ତାଙ୍କର ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଡିସେମ୍ବର ୨୦୨୬ରେ ବଡ଼ ପରଦାରେ ଆସିବ।

 

Dharitri – Odisha’s No.1 Odia Daily

 

Share