ଜଳୁଛି ଶାଗୁଆନ ଜଙ୍ଗଲ

ବଇଣ୍ଡା,୮।୫(ଡି.ଏନ.ଏ): ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ନୁନୁକାପଶି ଗ୍ରାମରେ ଥିବା ଶାଗୁଆନ ଜଙ୍ଗଲରେ ନିଆଁ ଲାଗିଛି। ନିଆଁ ଆଖପାଖ ଅଞ୍ଚଳକୁ ମାଡ଼ି ଚାଲିଥିବାବେଳେ ଜଙ୍ଗଲତଳି ଅଞ୍ଚଳରେ ରହୁଥିବା ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।
ଉକ୍ତ ଜଙ୍ଗଲରେ ୧୯୮୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ୯ ହଜାର ୬୫୪ ଶାଗୁଆନ, ଶାଳ ଭଳି ଅନେକ ଗଛ ଲଗାଯାଇଥିଲା। ୩୫ ବର୍ଷ ମଧ୍ୟରେ ଗଛଗୁଡ଼ିକ ବଡ଼ ହୋଇସାରିଛି। ଏବେ ବନାଗ୍ନି କାରଣରୁ ମୂଲ୍ୟବାନ ବୃକ୍ଷ ପାଇଁ ବିପଦ ସୃଷ୍ଟି ହୋଇଛି। ଅନ୍ୟପଟେ ଉକ୍ତ ମୂଲ୍ୟବାନ ଶାଗୁଆନ୍‌ ଜଙ୍ଗଲ ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। କାଠଚୋରମାନେ ବିଭିନ୍ନ ଉପାୟରେ ଗଛ କାଟି ବାହାରକୁ ଚାଲାଣ କରୁଛନ୍ତି। ଏଥିପ୍ରତି ବନ ବିଭାଗ ଆଖି ବୁଜି ଦେଇଥିବାବେଳେ ଜଙ୍ଗଲ ଧ୍ୱଂସ ପାଇବାକୁ ବସିଲାଣି। ନିଆଁ ଲିଭାଇବା ଏବଂ ଜଙ୍ଗଲକୁ ସୁରକ୍ଷା ଦେବା ବ୍ୟବସ୍ଥା କରିବା ଲାଗି ବିହିତ ବ୍ୟବସ୍ଥା କରିବା ଲାଗି ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ହଣ୍ଡପା ରେଞ୍ଜ ଦାୟିତ୍ୱରେ ଥିବା ବାମୁର ରେଞ୍ଜର ଏସ୍‌. ମିଶ୍ରଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲା। ହେଲେ ସେ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।