ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୨ ସେପ୍ଟେମ୍ବରରେ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରିବେ। ଶୁକ୍ର କନ୍ୟା ରାଶିରୁ ବାହାରି ତୁଳା ରାଶିରେ ଗୋଚର କରିବେ। ଅନ୍ୟପଟେ ଶନି ବର୍ତ୍ତମାନ ମୀନ ରାଶିରେ ଅବସ୍ଥିତ ଅଛନ୍ତି। ଫଳରେ ଶୁକ୍ର ଓ ଶନିଙ୍କ ମଧ୍ୟରେ ଷଡ଼ାଷ୍ଟକ ଯୋଗ ଗଠନ ହେବ। ଜ୍ୟୋତିଷରେ ଷଡ଼ାଷ୍ଟକ ଯୋଗକୁ ସାଧାରଣତଃ ଶୁଭ ଯୋଗ ଭାବେ ବିବେଚନା କରାଯାଏ ନାହିଁ। ଏହାର ପ୍ରଭାବ ଜୀବନର ବିଭିନ୍ନ କ୍ଷେତ୍ରରେ ପଡ଼ିପାରେ। ବିଶେଷ କରି କ୍ୟାରିୟର, କର୍ମକ୍ଷେତ୍ର, ବ୍ୟବସାୟ ଓ ସ୍ବାସ୍ଥ୍ୟକୁ ନେଇ କିଛି ରାଶିର ଲୋକଙ୍କୁ ସତର୍କ ରହିବାକୁ ପଡ଼ିପାରେ। ଜ୍ୟୋତିଷୀୟ ଗଣନା ଅନୁସାରେ ଏହି ସମୟରେ ଶନି ଶୁକ୍ରଙ୍କଠାରୁ ଷଷ୍ଠ ଭାବରେ ଏବଂ ଶୁକ୍ର ଶନିଙ୍କଠାରୁ ଅଷ୍ଟମ ଭାବରେ ରହିବେ। ଆସନ୍ତୁ ଜାଣିବା କେଉଁ ୩ଟି ରାଶି ଉପରେ ଏହି ଯୋଗର ପ୍ରଭାବ ଅଧିକ ପଡ଼ିପାରେ।
ମେଷ ରାଶିର ଲୋକଙ୍କ କର୍ମକ୍ଷେତ୍ରରେ ଷଡ଼ାଷ୍ଟକ ଯୋଗର ପ୍ରଭାବ ଦେଖାଦେଇପାରେ। ଅଫିସରେ ସହକର୍ମୀଙ୍କ ସହ ଭଲ ସମନୱୟ ରଖି ଚାଲିବା ଆବଶ୍ୟକ। ଛୋଟ କଥା ମଧ୍ୟ ବିବାଦର ରୂପ ନେଇପାରେ। କାମରେ ଅବହେଳା କିମ୍ବା ତରବରିଆ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ। ନଚେତ୍ ଆପଣଙ୍କ ପରିଶ୍ରମ ଉପରେ ପ୍ରଶ୍ନ ଉଠିବା ସହ ବରିଷ୍ଠ ଅଧିକାରୀଙ୍କ ନଜରରେ ଆପଣଙ୍କ ଛବି ପ୍ରଭାବିତ ହୋଇପାରେ। ତେଣୁ ପ୍ରତ୍ୟେକ ଦାୟିତ୍ୱକୁ ସମୟରେ ଏବଂ ଗମ୍ଭୀରତାର ସହ ପୂରଣ କରନ୍ତୁ।ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସତର୍କ ରହିବା ଦରକାର। ଅଧିକ ଚିନ୍ତା ଓ ଚାପ ଯୋଗୁ ମୁଣ୍ଡବିନ୍ଧା, ଥକ୍କାପଣ କିମ୍ବା ଅସ୍ଥିରତା ଭଳି ସମସ୍ୟା ହୋଇପାରେ। ପରିବାରରେ କଥାବାର୍ତ୍ତା ସମୟରେ ମଧ୍ୟ ଶବ୍ଦ ପ୍ରୟୋଗ ପ୍ରତି ସତର୍କ ରୁହନ୍ତୁ।
ସିଂହ ରାଶିର ଲୋକଙ୍କ ପାଇଁ ଷଡ଼ାଷ୍ଟକ ଯୋଗ ଯୋଗୁ କିଛି କାମ ଅଟକିଯାଇପାରେ। ଯେଉଁ କାମ ସହଜରେ ହୋଇଯିବ ବୋଲି ଆପଣ ଆଶା କରୁଥିବେ, ସେଥିରେ ବିଳମ୍ବ ହୋଇପାରେ। ତେଣୁ କୌଣସି କାମ ଆରମ୍ଭ କରିବା ପୂର୍ବରୁ ଭଲ ଭାବେ ଯୋଜନା କରନ୍ତୁ। ଅଫିସରେ ଆଜିର କାମକୁ କାଲି ପାଇଁ ଟାଳିବା ଅଭ୍ୟାସ ଆପଣଙ୍କୁ ଅସୁବିଧାରେ ପକାଇପାରେ। ଜରୁରୀ ଦାୟିତ୍ୱଗୁଡ଼ିକୁ ସମୟରେ ସାରିବାକୁ ଚେଷ୍ଟା କରନ୍ତୁ। ଅଫିସ ରାଜନୀତି ଏବଂ ଅନାବଶ୍ୟକ ଚର୍ଚ୍ଚାଠାରୁ ଦୂରେଇ ରହିବା ଭଲ। ଅନ୍ୟ କାହାର ବିବାଦରେ ପଶିଲେ ଆପଣଙ୍କ ଛବି ଖରାପ ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଗଳା ଦରଜ, ଗଳାରେ ଖସଖସ କିମ୍ବା ହାଡ଼ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ତେଣୁ ପାଣିପାଗ ଓ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
ବିଛା ରାଶିର ଲୋକଙ୍କ ପାଇଁ ଏହି ଷଡ଼ାଷ୍ଟକ ଯୋଗ ଆର୍ଥିକ ଏବଂ କ୍ୟାରିୟର କ୍ଷେତ୍ରରେ କିଛି ଚ୍ୟାଲେଞ୍ଜ ଆଣିପାରେ। ବିଶେଷକରି ବ୍ୟବସାୟୀମାନେ ବଡ଼ ଟଙ୍କାର କାରବାର କିମ୍ବା ଗୁରୁତ୍ୱପୂର୍ଣ୍ଣ ଡିଲ କରିବା ସମୟରେ ତରବରିଆ ନିଷ୍ପତ୍ତି ନନିଅନ୍ତୁ। କୌଣସି ବଡ଼ ଆର୍ଥିକ ନିଷ୍ପତ୍ତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତି କିମ୍ବା ଭରସାଯୋଗ୍ୟ ପରାମର୍ଶଦାତାଙ୍କ ମତ ନେବା ଲାଭଦାୟକ ହୋଇପାରେ। ସମ୍ପୂର୍ଣ୍ଣ ତଥ୍ୟ ନଜାଣି ନିବେଶ କିମ୍ବା କୌଣସି ଡିଲ୍ରେ ଟଙ୍କା ଲଗାଇଲେ କ୍ଷତି ହୋଇପାରେ। ଚାକିରି କରୁଥିବା ଲୋକଙ୍କୁ ମଧ୍ୟ କର୍ମକ୍ଷେତ୍ରରେ କିଛି ଅସହଜ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସହକର୍ମୀ କିମ୍ବା ଅଧିକାରୀଙ୍କ ସହ ମତଭେଦ ହେଲେ ବିତର୍କ ନକରି ଶାନ୍ତ ରହି ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ।