Categories: ଖେଳ

ଭାଙ୍ଗି ପଡ଼ିଛନ୍ତି ପାକିସ୍ତାନୀ ଖେଳାଳି; ଉପଅଧିନାୟକ ଭୋ-ଭୋ ହୋଇ କାନ୍ଦିବା ଭିଡିଓ ଭାଇରାଲ

ପର୍ଥ,୨୯।୧୦: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ୱକପ୍‌ ୨୦୨୨ରେ ଖରାପ ପ୍ରଦର୍ଶନକୁ ନେଇ ସମାଲୋଚିତ ହେଉଛି ପାକିସ୍ତାନ। ଭାରତ ପରେ ଜିମ୍ବାଓ୍ବେ ଭଳି ଦୁର୍ବଳ ଦଳ ବିପକ୍ଷରେ ମାତ୍ର ଗୋଟିଏ ରନ୍‌ରେ ପରାଜିତ ହେବାକୁ ପଡ଼ିଥିଲା। ଏହାକୁ ନେଇ ଦଳର ସମସ୍ତ ଖେଳାଳି ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି। ମ୍ୟାଚ୍‌ ପରେ ଅନେକ ଖେଳାଳି ଭୋ- ଭୋ ହୋଇ କାନ୍ଦିଥିଲେ। ସେଥିମଧ୍ୟରୁ ଉପଅଧିନାୟକ ଶାଦାବ ଖାଁଙ୍କ କାନ୍ଦୁଥିବାର ଭିଡିଓ ଭାଇରାଲ ହେଉଛି।

ପାକିସ୍ତାନ ତୁଳନରେ ଦୁର୍ବଳ ଥିବା ଦଳଠାରୁ ପରାଜୟକୁ ନେଇ ଖେଳାଳିମାନଙ୍କର ସମାଲୋଚନା କରାଯାଉଛି। ଖେଳାଳିମାନେ ମଧ୍ୟ ଏହି ହାର୍‌କୁ ନେଇ କାନ୍ଦୁଥିବା ଦେଖାଯାଇଛି। ବିଶେଷକରି ସୋସିଆଲ ମିଡିଆରେ ଜଣେ ଶାଦାବଙ୍କ ଭିଡିଓ ଶେୟାର କରି ଲେଖିଛନ୍ତି‘ବେଳେବେଳେ କ୍ରିକେଟ ମଧ୍ୟ ବହୁତ ନିର୍ଦ୍ଦୟୀ ହୋଇଯାଏ’ ।

ଗୁରୁବାର ଜିମ୍ବାଓ୍ବେ ବିପକ୍ଷରେ ଖେଳାଯାଇଥିବା ଟି୨୦ ମୁକାବିଲାରେ ୧୩୧ ରନ୍‌ର ଟାର୍ଗେଟ ପାଇଥିଲା ପାକିସ୍ତାନ। ହେଲେ ବ୍ୟାଟିଂ ଆରମ୍ଭରୁ ୩୬ ରନ୍‌ରେ ୩ ଉଇକେଟ ହରାଇଥିଲା ଦଳ। ଏହାପରେ ଶାଦାବ(୧୭) ଏବଂ ଶାନ ମସୁଦ(୪୪) ୫୨ ରନ୍‌ର ଭାଗିଦାରି କରିଥିଲେ। ହେଲେ ଶାଦାବ ଆଉଟ୍‌ ହେବା ପରେ ଦଳର ଗୋଟିଏ ପରେ ଗୋଟିଏ ଉଇକେଟ ଯାଇଥିଲା। ଶେଷ ଓଭରରେ ଦଳକୁ ୪ ବଲ୍‌ଷର ୪ ରନ୍‌ର ଆବଶ୍ୟକତା ଥିଲା। ହେଲେ ମଇଦାନରେ ଥିବା ମହମ୍ମଦ ଓ୍ବସିମ୍‌ ଏବଂ ମହମ୍ମଦ ନଓ୍ବାଜ ମ୍ୟାଚ୍‌ ଜିତାଇ ପାରି ନ ଥିଲେ। ଫଳରେ ଜିମ୍ବାଓ୍ବେ ଶେଷ ଓଭରରେ ୧ ରନ୍‌ ଲାଗି ମ୍ୟାଚ୍‌ ବିଜେତା ହୋଇଥିଲା।

Share