Categories: ଜାତୀୟ

ସଲିମ୍‌ଙ୍କ ପାଇଁ ଅଟକି ରହିଛି ଶବନମ୍‌ଙ୍କ ଫାଶୀ

ଲକ୍ଷ୍ନୌ,୨୧।୨: ପ୍ରେମ ପାଇଁ ନିଜ ପରିବାରର ୭ ଜଣଙ୍କୁ ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗରେ ଫାଶୀଦଣ୍ଡ ହୋଇଥିବା ଶବନମ୍‌ଙ୍କ ପାଇଁ ମୃତ୍ୟୁ ପରଓ୍ବାନା ଜାରିରେ ବିଳମ୍ବ ହେଉଛି। ଏହାର କାରଣ ହେଉଛନ୍ତି ତାଙ୍କ ପ୍ରେମିକ ସଲିମ୍‌। ରାଷ୍ଟ୍ରପତି ଶବନମ୍‌ଙ୍କ ରାଜକ୍ଷମା ଆବେଦନକୁ ପ୍ରତ୍ୟାଖାନ କରିଛନ୍ତି। ସେହିପରି ତାଙ୍କର ପୂନର୍ବିଚାର ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଶବନମ୍‌ଙ୍କ ଫାଶୀ ଦଣ୍ଡାଦେଶରେ ବାଧକ ସାଜିଛି ପ୍ରେମିକ ସଲିମ୍‌ଙ୍କ ରାଜକ୍ଷମା ଆବେଦନ। ଏହା ଏବେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ପାଇଁ ପଡ଼ି ରହିଛି। ସଲିମ୍‌ ଶବନମ୍‌ଙ୍କୁ ଗୋଟିଏ ଅପରାଧ ପାଇଁ ଫାଶୀଦଣ୍ଡାଦେଶ କରାଯାଇଛି। ତେଣୁ ଫାଶୀ ଦଣ୍ଡ ଟାଳିବା ଲାଗି ନିର୍ଭୟା କାଣ୍ଡ ଅପରାଧୀଙ୍କ ଭଳି ରାଜକ୍ଷମା ଗୋଟିଏ ଦିନରେ ଦାଖଲ ନ କରି ଭିନ୍ନ ଭିନ୍ନ ଦିନରେ ଆବେଦନ କରାଯାଇଥିବା କୁହାଯାଉଛି। ଶବନମ୍‌ ମଥୁରା ଜେଲରେ ବନ୍ଦ ଥିବାବେଳେ ସଲିମ୍‌ ଆଗ୍ରା ଜେଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅଛନ୍ତି। ଇତିମଧ୍ୟରେ ଶବନମ୍‌ଙ୍କ ୧୨ ବର୍ଷର ପୁତ୍ର ତାଜ୍‌ ମହମ୍ମଦ ତାଙ୍କ ମା’ଙ୍କୁ ଫାଶୀ ନ ଦେବା ଲାଗି ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ଫଳରେ ଶବନମ୍‌ ଏବଂ ସଲିମ୍‌ଙ୍କ ସମୟ ଏବେ ଆଶା ଓ ଆଶଙ୍କାରେ ବିତୁଛି।

Share