ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର ପାଇଁ ଗୀତ ଗାଇ ଆସୁଥିଲେ । ହେଲେ ରବିବାର ଦିନ ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ଆଜି(ସୋମବାର) ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଆଶା ଭୋସଲେଙ୍କ ଶେଷକୃତ୍ୟ ସନ୍ଧ୍ୟା ପ୍ରାୟ ୫ଟାରେ ମୁମ୍ବାଇର ଶିବାଜୀ ପାର୍କରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ କରାଯାଇଥିଲା। ପୁଅ ଆନନ୍ଦ ଭୋସଲେ ତାଙ୍କୁ ମୁଖାଗ୍ନି ଦେଇଛନ୍ତି ।

୧୨ ଏପ୍ରିଲରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଆଶା ଭୋସଲେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ୧୧ ଏପ୍ରିଲରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଗଣିତ ପ୍ରଶଂସକ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଥିଲେ। କିନ୍ତୁ ୧୨ ଏପ୍ରିଲରେ ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ବଲିଉଡରେ ଦୁଃଖର ଛାୟା ଖେଳିଗଲା। ସୋସିଆଲ ମିଡିଆରେ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

୧୩ ଏପ୍ରିଲ ସକାଳେ ଆଶା ଭୋସଲେଙ୍କ ପାର୍ଥିବ ଶରୀରକୁ ତାଙ୍କ ମୁମ୍ବାଇସ୍ଥିତ ବାସଭବନ କାସା ଗ୍ରାଣ୍ଡରେ ରଖାଯାଇଥିଲା, ଯେଉଁଠାରେ ତାଙ୍କ ପ୍ରଶଂସକମାନେ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିଲେ । ରଣବୀର ସିଂ, ସଚ୍ଚିନ ତେନ୍ଦୁଲକର, ମହମ୍ମଦ ସିରାଜଙ୍କ ସମେତ ଅନେକ ସେଲିବ୍ରିଟି ତାଙ୍କୁ ଶେଷ ଦର୍ଶନ କରିଥିଲେ । ସେହିପରି ଅମିର ଖାନ ଏବଂ ଭିକି କୌଶଲ ଆଶା ତାଇଙ୍କୁ ଶେଷ ବିଦାୟ ଦେବା ପାଇଁ ଶ୍ମଶାନରେ ପହଞ୍ଚିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଉପସ୍ଥିତ ରହିଥିଲେ ।

ଆଶା ଭୋସଲେଙ୍କୁ ଭାରତୀୟ ସିନେମା ଇତିହାସର କିମ୍ବଦନ୍ତୀ ଗାୟିକାମାନଙ୍କ ମଧ୍ୟରେ ଗଣନା କରାଯାଏ। ସେ ମାତ୍ର ୧୦ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ସେ ପ୍ରଥମେ ୧୯୪୩ ମସିହାରେ ମୁକ୍ତିଲାଭ କରିଥିବା ଏକ ମରାଠୀ ଚଳଚ୍ଚିତ୍ରରେ ନିଜର କଣ୍ଠସ୍ୱର ଦେଇଥିଲେ । ପରବର୍ତ୍ତୀ ସମୟରେ, ତାଙ୍କ କଣ୍ଠସ୍ୱର ମାଧ୍ୟମରେ ସେ କେବଳ ଇଣ୍ଡଷ୍ଟ୍ରିରେ ନୁହେଁ ବରଂ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ମଧ୍ୟ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ତାଙ୍କ କ୍ୟାରିଅର ମଧ୍ୟରେ ସେ ୧୨,୦୦୦ ରୁ ଅଧିକ ଗୀତ ଗାଇଛନ୍ତି ।

 

Dharitri – Odisha’s No.1 Odia Daily