ବରଗଡ଼,୧୫।୫(ପ୍ରେମାନନ୍ଦ ଖମାରୀ)- କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଏବଂ ବିଭାଗରେ ଆର୍ଥିକ ଅନିୟମିତତା ଅଭିଯୋଗ ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ମାମଲାରେ ଗିରଫ ହୋଇ ବରଗଡ଼ ଜିଲା କାରାଗାରରେ ରହିଥିବା ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ତଥା ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା କନକତୋରା ଗ୍ରାମର ମୂଳ ବାସିନ୍ଦା ସୁରେନ୍ଦ୍ର କୁମାର ସାହୁ(୪୫), ଜିଲା ଶିକ୍ଷା ଅଧିକାରୀ(ଡିଇଓ) ତଥା ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୮ ଖଜୁରଟିକ୍ରାର ଜ୍ୟୋତିକାନ୍ତ ସାହୁ(୪୫)ଙ୍କୁ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ନିଲମ୍ବିତ କରିଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଆଦେଶ ସଂଖ୍ୟା-୧୨୪୬୧, ତା-୧୫।୫।୨୦୨୬ରିଖ ଏବଂ ଆଦେଶ ସଂଖ୍ୟା-୧୨୪୬୪, ତା-୧୫।୫।୨-୨୬ରିଖରେ ଏହା ଉଲ୍ଲେଖ ରହିଛି। ତେବେ କାରାଗାରରୁ ମୁକ୍ତ ହେବା ପରେ ନିଲମ୍ବନ ଅବଧି ପର୍ଯ୍ୟନ୍ତ ବିଇଓଙ୍କୁ ବରଗଡ଼ ଜିଲା ମୁଖ୍ୟ ଶିକ୍ଷା ଅଧିକାରୀ ଏବଂ ଡିଇଓଙ୍କୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ସମ୍ବଲପୁର ଉପସ୍ଥାନ ଦେବାକୁ ନିର୍ଦ୍ଦେଶ ରହିଛି। ଏହା ପୂର୍ବରୁ ଏହି ମାମଲାରେ ବରପାଲି ବ୍ଳକ ସତଲମା ହାଇସ୍କୁଲର ଶାରୀରିକ ଶିକ୍ଷା ଶିକ୍ଷକ(ପିଇଟି) ତଥା ବରପାଲି ଥାନା ବିଶିପାଲି ଗ୍ରାମର ସମୀର କୁମାର ପାଣିଗ୍ରହୀ(୫୧)ଙ୍କୁ ଜିଲାପାଳ ଆଦିତ୍ୟ ଗୋୟଲ ନିଲମ୍ବିତ କରିଛନ୍ତି।
ପ୍ରକାଶଥାଉକି, ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା, କ୍ଷମତାର ଅପବ୍ୟବହାର ଏବଂ ବେଆଇନଭାବେ ଅନୁଗ୍ରହ ଗ୍ରହଣ ଅଭିଯୋଗରେ ଅଭିଯୁକ୍ତ କ୍ରୀଡ଼ା ଶିକ୍ଷକ ପାଣିଗ୍ରାହୀ, ବିଇଓ ସାହୁ ଏବଂ ଡିଇଓ ସାହୁ ଗତ ୩୦ତାରିଖରୁ ବରଗଡ଼ ଟାଉନ ଥାନା ପୋଲିସ ଦ୍ୱାରା ଗିରଫ ହୋଇ କାରାଗାରରେ ରହିଛନ୍ତି। ତାଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ଭାରତୀୟ ନ୍ୟାୟ ସଂହିତା(ବିଏନଏସ୍)ର ଧାରା ୭୫/୭୯/୩୦୮/୨୦୧/୩୫୧(୨),(୩),(୫)/୩(୧) ଏବଂ କର୍ମକ୍ଷେତ୍ରରେ ମହିଳା ମାନଙ୍କ ଯୌନ ଉପତ୍ୀଡ଼ନ(ନିବାରଣ, ନିଷେଧ ଓ ପ୍ରତିକାର) ଅଧିନିୟମ ୨୦୧୩ରେ ଏକ ମାମଲା(ନଂ-୨୨୯/୨୦୨୬) ରୁଜୁ ହୋଇଛି।