ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ନିକଟରେ ଦାଖଲ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ପରେ ICC ତଦନ୍ତ ଆରମ୍ଭ କରି ଅଭିଯୋଗକାରୀ ଛାତ୍ରୀଙ୍କ ବୟାନ ରେକର୍ଡ କରିଥିବା ସୂଚନା ମିଳିଛି।
ଅଭିଯୋଗ ଅନୁସାରେ, ମେ’ ମାସରେ ହୋଇଥିବା ଏକ ପରୀକ୍ଷା ସମୟରେ ପ୍ରଫେସର କିଛି ଛାତ୍ରୀଙ୍କ ପ୍ରତି ଯୌନ ସଙ୍କେତପୂର୍ଣ୍ଣ ଓ ଆପତ୍ତିଜନକ ମନ୍ତବ୍ୟ କରିଥିବା ଅଭିଯୋଗ ହୋଇଛି। ଜଣେ ଛାତ୍ରୀ ନିଜ ଅନୁଭୂତି ସମ୍ପର୍କରେ ଏକ WhatsApp ଗ୍ରୁପ୍ରେ ସାଥୀମାନଙ୍କୁ ଜଣାଇବା ପରେ ଅନ୍ୟ କିଛି ଛାତ୍ରୀ ମଧ୍ୟ ଆଗକୁ ଆସି ଅଭିଯୋଗ କରିଥିବା କୁହାଯାଉଛି। କିଛି ଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ଶାରୀରିକ ସମ୍ପର୍କ ବଦଳରେ ଅଧିକ ନମ୍ବର ଦେବାର ପ୍ରସ୍ତାବ ଦିଆଯାଇଥିବା ମଧ୍ୟ ଦାବି କରାଯାଇଛି । ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।
ଅଭିଯୋଗ ଦାଖଲ ହେବା ପରେ ICC ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାପରେ ପ୍ରାୟ ୪୫ ଦିନର ସେମିଷ୍ଟର ଛୁଟି ପଡ଼ିଥିଲା। ଜୁଲାଇ ମଧ୍ୟଭାଗରେ ବିଶ୍ୱବିଦ୍ୟାଳୟରେ ପୁଣି ପାଠପଢ଼ା ଆରମ୍ଭ ହେବା ପରେ ମାମଲାଟି ପୁଣି ଚର୍ଚ୍ଚାକୁ ଆସିଥିବା ସୂଚନା ମିଳିଛି। ବର୍ତ୍ତମାନ ICC ଏହି ଅଭିଯୋଗଗୁଡ଼ିକର ତଦନ୍ତ କରୁଛି।JNUରେ ଏଭଳି ଅଭିଯୋଗ ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଛି। ୨୦୨୫ ଏପ୍ରିଲରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟକାରୀ ପରିଷଦ ୪ ଜଣ କର୍ମଚାରୀଙ୍କୁ ବରଖାସ୍ତ କରିଥିଲା। ସେମାନଙ୍କ ମଧ୍ୟରେ ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ର ପ୍ରଫେସର ସ୍ୱର୍ଣ୍ଣ ସିଂ ମଧ୍ୟ ଥିଲେ। ଜାପାନ ଦୂତାବାସ ସହ ସମ୍ପର୍କିତ ଜଣେ ମହିଳା ଅଧିକାରୀଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ ମାମଲାରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ସୂଚନା ମିଳିଥିଲା।
ବର୍ତ୍ତମାନ ୧୧ ଜଣ ଛାତ୍ରୀଙ୍କ ଅଭିଯୋଗ ପରେ JNUରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଏବଂ ଏଭଳି ଅଭିଯୋଗ ଉପରେ ବିଶ୍ୱବିଦ୍ୟାଳୟ କିପରି କାର୍ଯ୍ୟାନୁଷ୍ଠାନ ନେଉଛି, ତାହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।