ଭଡ଼ାଘରେ ସେକ୍ସ ରାକେଟ୍‌

ଢେଙ୍କାନାଳ ଅଫିସ, ୩।୫: ଢେଙ୍କାନାଳ ସହର ଆନନ୍ଦନଗର କାଠଗଡ଼ା ଅଞ୍ଚଳର ଏକ ଭଡ଼ାଘରେ ଚାଲିଥିବା ସେକ୍ସ ରାକେଟ୍‌ର ରହସ୍ୟ ଉନ୍ମୋଚନ କରିଛି ଟାଉନ ଥାନା ପୋଲିସ। ଏହି ଘଟଣାରେ ରାଣୀ ମହୁମାଛିଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି। ଉଦ୍ଧାର ବଙ୍ଗୀୟ ଯୁବତୀଙ୍କୁ ସ୍ବଧାରଗୃହକୁ ପଠାଇ ଦିଆଯାଇଛି। ମାସକର ବ୍ୟବଧାନରେ ଏହା ଦ୍ୱିତୀୟ ଘଟଣା ହୋଇଥିବାବେଳେ ଢେଙ୍କାନାଳ ସହର ଦେହ ଦଲାଲଙ୍କ ନୂଆ ଠିକଣା ପାଲଟିଥିବା ଚର୍ଚ୍ଚା ହେଉଛି।
ପୋଲିସ ସୂଚନା ଅନୁଯାୟୀ, ସଦର ଥାନା ଗୋବିନ୍ଦପୁର ଫାଣ୍ଡି ତାଳବରକୋଟ ଅଞ୍ଚଳର ଜଣେ ୪୦ ବର୍ଷୀୟା ମହିଳା କାଠଗଡ଼ା ସହରାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ଭଡ଼ାଘରେ ରହୁଥିଲେ। ନିଜ ପୁଅର ପାଠପଢ଼ାରେ ସୁବିଧା ହେବ ବୋଲି ସେ ଢେଙ୍କାନାଳରେ ରହିବାକୁ ଯୋଜନା କରିଥିବା ଘର ମାଲିକଙ୍କୁ କହିଥିଲେ। ତେବେ ଦେଢ଼ମାସ ହେଲା କୋଲକାତାରୁ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଉଥିଲେ। ଗ୍ରାହକଙ୍କ ପିଛା ୨୦୦୦ରୁ ୩୦୦୦ ଟଙ୍କା ଆଦାୟ କରାଯାଉଥିଲା। ଦେହଜୀବୀଙ୍କୁ ଦୈନିକ ୫୦୦ରୁ ୧୦୦୦ ଟଙ୍କା ଦିଆଯାଉଥିଲା। ତେବେ ଭଡ଼ାଘରକୁ ବିଭିନ୍ନ ସମୟରେ ଲୋକଙ୍କ ଯିବା ଆସିବା ଲାଗି ରହୁଥିବାରୁ ଏହାକୁ ନେଇ ସନ୍ଦେହ ଉପୁଜିଥିଲା। ସୋମବାର ରାତି ପ୍ରାୟ ୧୦ଟାରେ ଉକ୍ତ ଭଡ଼ା ଘରେ ଦେହ ବ୍ୟବସାୟ ଚାଲିଥିବା ପୋଲିସର ମୋବାଇଲ ପାଟ୍ରୋଲିଂ ଟିମ୍‌ ସୂଚନା ପାଇ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ସେକ୍ସ ରାକେଟର ମାଷ୍ଟର ମାଇଣ୍ଡ୍‌ କୁହାଯାଉଥିବା ସମ୍ପୃକ୍ତା ମହିଳା, ଜଣେ ବଙ୍ଗୀୟ ଯୁବତୀ ଏବଂ ୩ ଯୁବକଙ୍କୁ ଧରି ପୋଲିସ ଥାନାକୁ ଆଣି ପଚରାଉଚରା କରିବା ପରେ ରହସ୍ୟ ଉନ୍ମୋଚିତ ହୋଇଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଭୁବନ ଏନ୍‌ଏସି ୧୦ନଂ. ୱାର୍ଡ ଲକ୍ଷ୍ମୀଛକର ପବିତ୍ର ବାରିକ (୨୬), ଜଗନ ବାରିକ (୨୧) ଏବଂ ଭୁବନ ଏନ୍‌ଏସି ୮ନଂ. ୱାର୍ଡ ମୋଚିସାହିରେ ରହୁଥିବା ବିକ୍ରମ ପାତ୍ର (୨୬) ଅଛନ୍ତି। ଉକ୍ତ ଭଡ଼ାଘରୁ କେତେକ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ମଙ୍ଗଳବାର ଅଭିଯୁକ୍ତା ମହିଳା ଏବଂ ଅନ୍ୟ ୩ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ନଂ. ୨୮୭/୨୩ରେ ଏକ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ, ଗତ ଏପ୍ରିଲ୍‌ ୯ରେ କାଲଟାକ୍ସ ଅଞ୍ଚଳରେ ଦେହ ବ୍ୟବସାୟ ଚାଲିଥିବାବେଳେ ପୋଲିସ ଜଣଙ୍କୁ ଗିରଫ କରିଥିଲା। ଅନ୍ୟ ଜଣେ ଫେରାର ହୋଇଯାଇଥିଲେ। ଦେହ ବ୍ୟବସାୟରେ ଲିପ୍ତ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇ ସ୍ବଧାର ଗୃହକୁ ପଠାଯାଇଥିଲା। ଢେଙ୍କାନାଳ ସହରରେ ଦେହ ବ୍ୟବସାୟ ମାମଲା ବଢ଼ିବା ପୋଲିସର ଚିନ୍ତା ବଢ଼ାଇଛି। ଏହାକୁ ରୋକିବା ଏବଂ ଧରାପଡ଼ିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।