ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି ଏକ ଗୁପ୍ତ ସୂଚନା ଲାଗିଥିଲା ପୋଲିସ ହାତରେ। ଜନସାଧାରଣଙ୍କୁ ଚକିତ କରିଦେବା ଭଳି ଏପରି ଖବର ମିଳିବା ପରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଗୋଳ ଟାଉନ ଥାନା ପୋଲିସ ଓ ସ୍ବତନ୍ତ୍ର ସ୍କ୍ବାଡ୍ ତୁରନ୍ତ ଅମଲାପଡ଼ାସ୍ଥିତ ଉକ୍ତ ଘରେ ଚଢ଼ାଉ କରିଥିଲା। ଉକ୍ତ ଘରୁ ବାହାର ରାଜ୍ୟର ୨ ଯୁବତୀଙ୍କ ସହ ୨ ଜଣ ଗ୍ରାହକଙ୍କୁ ପୋଲିସ ଧରିବା ସହ ଘର ମାଲିକଙ୍କୁ ମଧ୍ୟ ଥାନାକୁ ନେଇଥିଲା। ସେଠାରେ ଘର ମାଲିକଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଚଳାଇଛି।
ସୂଚନା ଅନୁସାରେ, ଅମଲାପଡ଼ା ଅନୁଗୋଳ ସହରର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ। ଏହାଠାରୁ ଅନୁଗୋଳ ଟାଉନ ଥାନା ଓ ଏସ୍ପି ଅଫିସ୍ ଦୂରତା ବହୁତ କମ୍। ଏଭଳି ଏକ ଅଞ୍ଚଳରେ ଓ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ସେକ୍ସ ରାକେଟ୍ ଚାଲିବା ଭଳି ଆଶ୍ଚର୍ଯ୍ୟକର ଖବର ପୋଲିସକୁ ମିଳିଥିଲା। ଏପରି ସୂଚନା ପାଇବାପରେ ସ୍ବତନ୍ତ୍ର ସ୍କ୍ବାଡ୍ ଓ ଟାଉନ ଥାନା ପୋଲିସର ଏକ ଟିମ୍ ଉକ୍ତ ଘର ଉପରେ ଚଢ଼ାଉ କରିଥିଲା। ନେମପ୍ଲେଟରେ ଉଲ୍ଲେଖଥିବା ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପରଲୋକ ହୋଇଯାଇଥିଲେ ମଧ୍ୟ ତାଙ୍କ ଘରେ ଦୀର୍ଘଦିନ ଧରି ଏପରି ଦେହ ବ୍ୟବସାୟ ଚାଲୁଥିଲେ ବି ପୋଲିସ ଓ ସ୍ଥାନୀୟ ଲୋକଙ୍କ ନଜରକୁ ଏହା କିପରି ଆସିଲା ନାହିଁ ତାହା ଚର୍ଚ୍ଚାର ବିଷୟ ହୋଇଛି। ଏପରି ବେଆଇନ କାରବାର କେବେଠାରୁ ସେଠାରେ ଚାଲିଥିଲା ଏବଂ ଏହା ପଛରେ ଆଉ କେଉଁମାନଙ୍କ ହାତ ରହିଛି ତାହା ଜାଣିବାକୁ ପୋଲିସ ଖୋଳତାଡ଼ କରୁଛି। ଏପରିକି ଏହି ଘଟଣାକୁ ନେଇ ସହରର ଆଉ କେତୋଟି ସ୍ଥାନରେ ମଧ୍ୟ ପୋଲିସ ଚଢ଼ାଉ ଚଳାଇଥିବା ଅନୁଗୋଳ ଟାଉନ ଥାନା ଆଇଆଇସି ପ୍ରକାଶ ମାଝୀ ସୂଚନା ଦେଇଛନ୍ତି।